ଦିଲ୍ଲୀରେ NSGର ଗ୍ରୁପ କମାଣ୍ଡରଙ୍କୁ ମଧ୍ୟ ମିଳିଲାନି ICU ବେଡ୍, ରାସ୍ତାରେ ଚାଲିଗଲା ପ୍ରାଣ

Published By : Prameya-News7 Bureau | May 05, 2021 IST

ନୂଆଦିଲ୍ଲୀ ୦୫।୦୫: ଦିଲ୍ଲୀରେ କରୋନାର ଭୟାବହତା ଜାରି ରହିଛି। ମହାମାରୀର ପ୍ରକୋପ ଏତେ ମାତ୍ରାରେ ବଢି ଯାଇଛି ଯେ, ଏନଏସଜି ଗ୍ରୁପର କମାଣ୍ଡର ମଧ୍ୟ ଏଥିରେ ବର୍ତ୍ତି ନାହାନ୍ତି। କରୋନାରେ କମାଣ୍ଡରଙ୍କ ପରଲୋକ ଘଟିଛି। ସୂଚନା ଅନୁଯାୟୀ, ଏନଏସଜିର ଗ୍ରୁପ କମାଣ୍ଡର ବୀରେନ୍ଦ୍ର କୁମାର ଝାଙ୍କୁ ଦିଲ୍ଲୀରେ ତୁରନ୍ତ ଆଇସିୟୁ ବେଡ୍ ନମିଳିବାରୁ ତାଙ୍କର ମୃତ୍ୟୁ ଘଟିଛି।

କରୋନା ସଂକ୍ରମିତ ହେବା ପରେ ବୀରେନ୍ଦ୍ର କୁମାର ଝା ଏପ୍ରିଲ ୨୨ରେ ଅର୍ଦ୍ଧସାମରିକ ବଳର ରେଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ଵାସ୍ଥ୍ୟବସ୍ଥା ସ୍ଵାଭାବିକ ଥିଲା। ମାତ୍ର ମେ ୪ ତାରିଖ ସନ୍ଧ୍ୟା ୬ଟାରେ ଅଚାନକ ବୀରେନ୍ଦ୍ରଙ୍କ ସ୍ଵାସ୍ଥ୍ୟ ବିଗିଡିଥିଲା, ଏଥିରେ ତାଙ୍କର ଅକ୍ସିଜେନ ସ୍ତର ହ୍ରାସ ପାଇବାରେ ଲାଗିଥିଲା।

ବେଡ୍ ମିଳିବାରେ ୫ ଘଣ୍ଟା ବିଳମ୍ବ

ଏହା ପରେ ବୀରେନ୍ଦ୍ର କୁମାରଙ୍କୁ ନୋଏଡାର ରେଫରାଲ ହସ୍ପିଟାଲରେ ଆଇସିୟୁ ଖାଲି ନଥିବା କାରଣରୁ ଅନ୍ୟ ହସ୍ପିଟାଲ ନେଇଯିବାକୁ ପରାମର୍ଶ ଦିଆଯାଇଥିଲା। ଏହା ପରେ ଦିଲ୍ଲୀର ଏ ହସ୍ପିଟାଲରୁ ସେ ହସ୍ପିଟାଲ ନିଆଯାଇଥିଲା। ହେଲେ ଯଥା ସମୟରେ ଆଇସିୟୁ ବେଡ୍ ମିଳିନଥିଲା। କୁହାଯାଉଛି ଯେ, ବେଡ୍ ମିଳିବାରେ ୫ ଘଣ୍ଟା ସମୟ ଲାଗିଥିଲା। ସେତେବେଳକୁ ବୀରେନ୍ଦ୍ରଙ୍କ ସ୍ଵାସ୍ଥ୍ୟ ଗୁରୁତର ହୋଇ ପଡିଥିଲା।

ରାସ୍ତାରେ ଚାଲିଗଲା ପ୍ରାଣ

ମେ ୪ ତାରିଖ ରାତି ପ୍ରାୟ ୧୧ଟାରେ ମ୍ୟାକ୍ସ ସୁଖଦେବ ବିହାର ହସ୍ପିଟାଲକୁ ତାଙ୍କୁ ପ୍ରଥମେ ଅଣା ଯାଇଥିଲା। ସେଠାରେ ବେଡ୍ ନଥିବାରୁ ଏନଏସଜିର ଗ୍ରୁପ କମାଣ୍ଡରଙ୍କୁ ଏସ୍କର୍ଟ ଫର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଏତେ ସଙ୍କଟାପନ୍ନ ଥିଲା ଯେ, ହସ୍ପିଟାଲରେ ପହଞ୍ଚିବା ବେଳକୁ କମାଣ୍ଡରଙ୍କ ମୃତ୍ୟୁ ଘଟି ସାରିଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀରେ ସଂପ୍ରତି ଯେଉଁଭଳି କରୋନାଜନିତ ପରିସ୍ଥିତି ଉପୁଜିଛି, ସେଥିରେ ଲୋକଙ୍କୁ ବେଡ୍ ମିଳିବା ମୁସ୍କିଲ ହୋଇ ପଡିଛି। ଏମିତି ସଙ୍କଟଜନକ ସ୍ଥିତିରେ ଏନଏସଜିର ଗ୍ରୁପ କମାଣ୍ଡରଙ୍କ ପାଇଁ ଆଇସିୟୁ ବେଡ୍ ଖୋଜା ଚାଲିଥିଲା। ମାତ୍ର ସମୟ ବିତିବା ଏବଂ ଜରୁରୀ ସମୟରେ ବେଡ୍ ନମିଳିବାରୁ ଗ୍ରୁପ କମାଣ୍ଡରଙ୍କ ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.