ନିଟ୍ ୨୦୨୦: କରୋନା ସଂକ୍ରମଣ ପରେ ବି ୮୫ %ରୁ ଅଧିକ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା
13/09/2020 at 10:32 PM

ନୂଆଦିଲ୍ଲୀ ୧୩।୦୯: କରୋନା ଭାଇରସ୍ର ପ୍ରକୋପ ପରେ ମଧ୍ୟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ରବିବାର ସଫଳତା ସହ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍) ପରୀକ୍ଷା ଆୟୋଜନ କରିଛି। ପ୍ରାୟ ୮୫ ରୁ ୯୦ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଏନଟିଏ କହିଛି। ହେଲେ କରୋନା ପଜିଟିଭ୍ କାରଣରୁ ପରୀକ୍ଷା ଦେଇ ପାରିନଥିବା ପରୀକ୍ଷାର୍ଥୀଙ୍କ ପାଇଁ ପରେ ତାରିଖ ଘୋଷଣା କରାଯିବ।
ଚଳିତ ବର୍ଷଠୁ ଏମବିବିଏସ ପାଠ୍ୟକ୍ରମ ପାଇଁ ଛାତ୍ର-ଛାତ୍ରୀ ୧୩ଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁୟଟ ଅଫ ମେଡିକାଲ ସାଇନ୍ସ(ଏମ୍ସ), ଜବାହରଲାଲ ଇନଷ୍ଟିଚ୍ୟୁୟଟ ଅଫ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ(JIPMER), ପୁଡୁଚେରୀରେ ନାମ ଲେଖାଇ ପାରିବେ। ନ୍ୟାସନାଲ କମିଶନ ଆକ୍ଟ ୨୦୧୯ ସଂସଦରେ ଗତ ବର୍ଷ ପାରିତ ହେବା ପରେ ଚଳିତ ବର୍ଷଠୁ ନାମ ଲେଖା ପାଇଁ ଏହି ନିୟମ ଲାଗୁ କରାଯାଇଛି।
ଚଳିତ ବର୍ଷ ନିଟ୍ ପରୀକ୍ଷା ପାଇଁ ଏନଟିଏ ପକ୍ଷରୁ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ବସ୍ ଓ ଘରୋଇ ବାହାନର ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ନିଟ୍ ପାଇଁ ମୋଟ୍ ୧୫ ଲକ୍ଷ ୯୭ ହଜାର ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିଲେ ଯାହା ୨୦୧୯ ତୂଳନାରେ ଅଧିକ। ଗତ ବର୍ଷ ନିଟ୍ ପାଇଁ ୧୫.୧୩ ଲକ୍ଷ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିଲେ।
୨୦୧୯ରେ ୯୨.୯ ପ୍ରତିଶତ ପରୀକ୍ଷାର୍ଥୀ ଜେଇଇ ମେନ୍, ନିଟ୍ପରୀକ୍ଷା ଦେଇଥିବା ଏନଟିଏ ପକ୍ଷରୁ ସରକାରୀ ଭାବେ କୁହାଯାଉଛି। ଚଳିତ ବର୍ଷ କରୋନା ଭାଇରସ୍ ପ୍ରକୋପ କାରଣରୁ ଆଶା ମୁତାବକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ସଭିଙ୍କ ମନରେ ବିରାଟ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କିନ୍ତୁ ଏନଟିଏର ସୁ ପରିଚାଳନା କାରଣରୁ ଚଳିତ ବର୍ଷ ମହାମାରୀ କାଳରେ ୮୫ ରୁ ୯୦ ପ୍ରତିଶତ ପରୀକ୍ଷାର୍ଥୀ ନିଟ୍ ପରୀକ୍ଷା ଦେଇଛନ୍ତି।
ଚଳିତ ବର୍ଷ ନିଟ୍ ପରୀକ୍ଷା ୧୧ଟି ଭାଷାରେ ଆୟୋଜିତ ହୋଇଛି। ସେଥିରେ ଇଂରାଜୀ, ହିନ୍ଦୀ, ଆସାମିଜ, ବେଙ୍ଗଲି, ଗୁଜରାଟି, କନ୍ନଡ, ମରାଠୀ, ଓଡିଆ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ସାମିଲ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ୭୭ ପ୍ରତିଶତ ପରୀକ୍ଷାର୍ଥୀ ଇଂରାଜୀ ଭାଷାରେ ପରୀକ୍ଷା ଦେଇଛଥିବା ବେଳେ ପ୍ରାୟ ୧୨ ପ୍ରତିଶତ ହିନ୍ଦୀ ଏବଂ ୧୧ ପ୍ରତିଶତ ଅନ୍ୟ ଭାଷାରେ ପରୀକ୍ଷା ଦେଇଛନ୍ତି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ରୁମରେ କେବଳ ୧୨ ଜଣ ପରୀକ୍ଷାର୍ଥୀଙ୍କୁ ବସାଯାଇ ପରୀକ୍ଷା କରାଯାଇଛି। ୨୦୧୯ରେ ପ୍ରତି ରୁମରେ ୨୪ ଜଣ ପରୀକ୍ଷା ଦେଇଥିଲେ। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରଶ୍ନପତ୍ର ଏତେ କଠିନ ନଥିବା ଅନେକ ପରୀକ୍ଷାର୍ଥୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ୭.୯୭ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷାରେ ସଫଳ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨.୮୬ ଲକ୍ଷ ଅଣ ସଂରକ୍ଷତି ଥିଲେ। ୩.୭୫ ପରୀକ୍ଷାର୍ଥୀ ଓବିସି ବର୍ଗରୁ, ୯୯ ହଜାରରୁ ଅଧିକ ଏସସି ବର୍ଗରୁ ଏବଂ ୩୫ ହଜାରରୁ ଅଧିକ ଏସଟି ବର୍ଗରୁ ଥିଲେ।