Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୋର୍ଡ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ପରେ ବି ଥମୁନି ଅସନ୍ତୁଷ୍ଟ, କେବେ ଦେବେ ଅଫଲାଇନ୍ ? କେବେ ପିଲା ଯୁକ୍ତ ୨ ଆଡମିସନ ନେବେ ? ଉତ୍ତର ଖୋଜୁଛି ଶିକ୍ଷା ବିଭାଗ

29/06/2021 at 7:43 PM

ଭୁବନେଶ୍ଵର ୨୯।୦୬: ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେବା ପରେ ବି ସନ୍ତୁଷ୍ଟ ହୋଇପାରିନାହାନ୍ତି ଶହ ଶହ ଛାତ୍ରଛାତ୍ରୀ ଏବଂ ଅଭିଭାବକ  । ଏପରିକି ଅନେକ ଆଜି କଟକ ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ହୋ ହାଲ୍ଲା କରିଛନ୍ତି।  ସେପଟେ କିନ୍ତୁ ଏହା ପରୀକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହାକି ପୂରା ହାଇସ୍କୁଲ ପାଠପଢ଼ା ବ୍ୟବସ୍ଥାରେ ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ଦେଖାଦେଇଛି।

ରେଜଲ୍ଟର ୨୪ ଘଣ୍ଟାରେ ମାର୍କ ବଦଳିବା,  ମାର୍କକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକ ରାସ୍ତାକୁ ଓହ୍ଲାଇବା , ମାର୍କିଂ ବ୍ୟବସ୍ଥାର କିଛି ତୃଟିକୁ ବୋର୍ଡ କତ୍ତୃପକ୍ଷ ସ୍ବୀକାର କରିବା, ଏମିତି ପୂର୍ବରୁ କେବେ ହୋଇନଥିଲା। ଏଥର ବିନା ମାଟ୍ରିକ ପରୀକ୍ଷାରେ ମାର୍କ ବ୍ୟବସ୍ଥା ଏବେ ସମଗ୍ର ହାଇସ୍କୁଲ ପାଠ ପଢା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଭିଡ କଟକଣା ଲାଗି ଯେଉଁଠି ପିଲାମାନେ ବର୍ଷ ବର୍ଷ ସ୍କୁଲକୁ ଆସିନାହାନ୍ତି, ଅନଲାଇନ ପଢିବାରେ ଭିତ୍ତିଭୂମି ନାହିଁ, ମାସକୁ ମାସ ଅନଲାଇନ କିମ୍ବା ଅଫଲାଇନ ପରୀକ୍ଷା ବି ହୋଇନି । ଏମିତିରେ  ପିଲାଙ୍କ ପରୀକ୍ଷା ଖାତା କି  ପୁରୁଣା ମାର୍କ ନଥିବାରୁ ମାଟ୍ରିକ ମାର୍କିଂ ବ୍ୟବସ୍ଥାରେ ପ୍ରଶ୍ନ ଉଠିଛି ।  CBSE ଏବଂ ICSE ଢାଞ୍ଚାରେ ମାର୍କିଂ କରାଯାଇଥିବା ବୋର୍ଡ କର୍ତ୍ତୃପକ୍ଷ କହୁଛନ୍ତି । କିନ୍ତୁ ଯଦି ସିବିଏସଇ ଏବଂ ଆଇସିଏସଇ ଢାଞ୍ଚାରେ କ୍ଲାସ ପରୀକ୍ଷା କରାଯାଇଥାନ୍ତା ଏବଂ ପିଲାଙ୍କ ଖାତା ଏବଂ ମାର୍କ ସୁରକ୍ଷିତ ଥାଆନ୍ତା ତେବେ ଏଭଳି ଅସନ୍ତୋଷ ଉପୁଜିନଥାନ୍ତା।

ଯେଉଁ ପିଲାମାନେ ମାର୍କିଂରେ ଅସନ୍ତୁଷ୍ଟ ହେଉଛନ୍ତି ସେମାନଙ୍କୁ ଅଫଲାଇନ ପରୀକ୍ଷା ଦେବା ଲାଗି  ମାଧ୍ୟମିକ ଶିକ୍ଷା ବୋର୍ଡ ଆହ୍ବାନ ଦେଇଛି। କିନ୍ତୁ ଯେତେବେଳେ ସାଥୀ ପିଲାମାନେ ଉପରଶ୍ରେଣୀରେ ଆଡମିଶନ କରି ପାଠପଢ଼ା ଆରମ୍ଭ କରିଥିବେ ସେତେବେଳେ ପୁଣି ମାଟ୍ରିକ ପରୀକ୍ଷା ଦେବାକୁ ଏହି ପିଲାମାନେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରିବେ କି?  ଯେଉଁମାନେ ଅଫଲାଇନରେ ପରୀକ୍ଷା ଦେବେ ସେମାନଙ୍କ ମାର୍କ ଯଦି ଅଧିକ ଆସେ ତେବେ ସେମାନେ ଅନ୍ୟମାନଙ୍କ ସହିତ ଆଡମିଶନ ପ୍ରକ୍ରିୟାରେ କେମିତି ଭାଗ ନେବେ? ସେମାନଙ୍କ ପାଇଁ କଲେଜରେ ସିଟ ଖାଲି ରହିବ କି ?  ସେମାନେ ପଛରେ ଯୁକ୍ତ ୨ରେ ଆଡମିସନ ନେଲେ ସେଠାରେ ପାଠପଢ଼ାର ଭରଣା କେମିତି କରିବେ?

ମହାମାରୀ ଅନେକ କିଛି ଶିକ୍ଷା ଦେଇଛି। ଅତିକମରେ ଆମ ଶିକ୍ଷା ବ୍ୟବସ୍ଥାର ଅନେକ କିଛି ପରିବର୍ତ୍ତନ ବାବଦରେ ଆଭାସ ଦେଇଛି। ତେଣୁ ଭବିଷ୍ୟତରେ କ୍ଲାସ ପ୍ରମୋଶନଠାରୁ ବୋର୍ଡ ପରୀକ୍ଷା ପର୍ଯ୍ୟନ୍ତ ସବୁ କିଛି ଯେମିତି ଉପଯୁକ୍ତ ଭାବେ ରେକର୍ଡ ଭୁକ୍ତ ହେବା ଆବଶ୍ୟକତା ରହିଛି । ଆଉ ଏହା ହେଲେ ହିଁ ଆଗକୁ ଯଦି ଏମିତି ସ୍ଥିତି ହୁଏ ସେତେବେଳେ  ରେଜଲ୍ଟ ଉପରେ ପ୍ରଶ୍ନ ଉଠାଇକୁ କାହାକୁ ମଉକା ରହିବନି ।

   Related Posts