ସୀମା ସିଲ୍‌ ପରେ ବି ଗଳା ବାଟ ଦେଇ ପଶି ଆସୁଛନ୍ତି ଲୋକେ: ସମୁଦ୍ରପଥ ହୋଇଛି ବଡ ବିକଳ୍ପ

Published By : Prameya-News7 Bureau | April 24, 2020 IST

ଭୁବନେଶ୍ବର୨୪/୪: ରାଜ୍ୟ ସୀମା ସିଲ୍ ହେବା ପରେ ବି ଲୋକଙ୍କ  ଯାତାୟତ ପୂରା ବନ୍ଦ ହୋଇପାରିନି । ଅନେକ ସ୍ଥାନରେ ଗଳାବାଟ ଦେଇ ଲୋକେ ଚାଲି ଆସୁଛନ୍ତି । ବିଶେଷ କରି ଜଳପଥ ଦେଇ ରାଜ୍ୟ ଭିତରକୁ ଚାଲି ଆସୁଛନ୍ତି ଅନୁପ୍ରବେଶକାରୀ । ଗଜପତି ଜିଲ୍ଲାର ସୀମାକୁ ସିଲ୍ କରିଦେବା ପରେ ଅନେକ ଏହି ଜଳପଥ ଦେଇ ଆନ୍ଧ୍ରରୁ ଚାଲିଆସୁଥିବା ନଜରକୁ ଆସିଛି ।

{"id":259569,"sizeSlug":"large"}

ଲୋକେ ଖୋଜୁଛନ୍ତି ଗଳବାଟ ବାହାର ରାଜ୍ୟରୁ ଆସିବା ଲାଗି କିଏ କଣ୍ଟେନର, କିଏ ଆମ୍ବୁଲାନ୍‌ ଆଉ କିଏ ବୋଟ୍‌କୁ କରିଛି ସାଧନ। ତାମିଲନାଡୁରୁ ବୋଟ୍ ରେ ଫେରୁଛନ୍ତି ଅନେକ ଲୋକ। ଏମାନଙ୍କ ଭିତରେ ଅଛନ୍ତି କିଛି ଓଡ଼ିଆ ଓ ତେଲୁଗୁ ଧୀବର ।

ପୂର୍ବରୁ ଲକଡାଉନ ଭିତରେ ଚେନ୍ନାଇରୁ ଆଉ ଏକ ବୋଟ୍ ରେ ୨୭ ଜଣ ମତ୍ସ୍ୟଜୀବୀ ଓଡ଼ିଶା ଫେରୁଥିବା ବେଳେ ସେମାନଙ୍କୁ ଆନ୍ଧ୍ର ପୋଲିସ ଅଟକ ରଖି କ୍ବାରାଣ୍ଟାଇନକୁ ନେଇଥିଲା। ଏବେ ପୁଣି ସେହିଭଳି ତାମିଲନାଡୁରୁ ଏକ ବଡ଼ ବୋଟ ଯୋଗେ ଶତାଧିକ ଲୋକ ଫେରୁଥିବା ଜଣାପଡ଼ିଛି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି। ସ୍ଥଳ ପଥ ସିଲ୍ କରାଯାଇଥିବାରୁ ଜଳ ପଥରେ ତାମିଲନାଡୁରୁ ଓଡ଼ିଶା ଫେରୁଛନ୍ତି ଲୋକେ।

ସେପଟେ ଲକ୍ ଡାଉନ ପାଇଁ ଆନ୍ଧ୍ରର ଶ୍ରୀକାକୁଲମ୍ ଏବଂ ଓଡିଶାର ଗଜପତି ଜିଲ୍ଲା ମଧ୍ୟରେ ସୀମା ସିଲ୍ ହୋଇଥିବାରୁ ଲୋକେ ଗଳାବାଟ ଦେଇ ଯାତାୟତ କରୁଛନ୍ତି । ଏପରିକି ନଦୀ ଭିତରେ ପଶି ବେକେ ପାଣିରେ ଯିବାକୁ ବି ପଛାଉ ନାହାଁନ୍ତି । ଦେଖନ୍ତୁ ଏହି ଦୃଶ୍ୟ, କେମିତି ପାଣି ଭିତରେ ପଶି ଏମାନେ ଯାଉଛନ୍ତି । ଗଜପତି ଜିଲ୍ଲା ପ୍ରଶାସନ ଏମାନଙ୍କୁ ରୋକିବାକୁ ଅଭିଯାନ ଜୋରଦାର କରିଛି । ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ୨୦ରୁ ଅଧିକ ଗଳାବାଟ ଠାବ କରାଯାଇ ସେସବୁ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । କିଛି ସ୍ଥାନରେ ଟ୍ରେଞ୍ଚ୍‌ ଖୋଳି ରାସ୍ତା ବନ୍ଦ କରିଛି ପ୍ରଶାସନ । ଆନ୍ଧ୍ରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଅଗ୍ନିଶମ କର୍ମଚାରୀ ବିଶୋଧନ କରୁଛନ୍ତି ।ଏଥିସହିତ ଦକ୍ଷିଣଓଡ଼ିଶା ଜିଲ୍ଲାଗୁଡ଼ିକରେ ମଧ୍ୟ ସୀମା ଉପରେ ସୁରକ୍ଷା ବଢ଼ାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.