ଓଡିଶାର ଦୁଇ ଭଉଣୀ ନିକିତା ଏବଂ ନିଶିତା, ଇଭି ବ୍ୟାଟେରୀ ପ୍ରସ୍ତୁତିରେ ଆଣିଛନ୍ତି ବିପ୍ଳବ

Published By : Prameya-News7 Bureau | October 03, 2021 IST

ଭୁବନେଶ୍ୱର ୦୩/୧୦: ଲଗାତର ବଢୁଛି ତେଲ ଦର । ଦେଶରେ ପ୍ରଦୂଷଣର ମାତ୍ରା ମଧ୍ୟ ବଢିବାରେ ଲାଗିଛି । ଏହି ଦୃଷ୍ଟିରୁ ଅନେକ ଇଲେକଟ୍ରିକ୍ ଯାନବାହାନ ଆଢକୁ ମୁହାଁଇଲେଣି । ଧିରେଧିରେ ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ସ୍କୁଟରରେ ଚାହିଦା ଦେଶରେ ବଢିବାରେ ଲାଗିଛି । ତେବେ ଇ ଭେଇକିଲ୍-ଶିଳ୍ପରେ ବିପ୍ଳବ ଆଣିଛନ୍ତି ଓଡିଶାର ଦୁଇ ଭଉଣୀ । ଦୁଇ ଭଉଣୀ ହେଲେ ନିକିତା ଓ ନିଶିତା ବଳିଆରସିଂ । ଭୁବନେଶ୍ୱର ସ୍ଥିତ ଷ୍ଟାଟ୍ ଅପ୍ ନେକ୍ସସ୍ ପାଓ୍ୱାରର ସେମାନେ ପ୍ରତିଷ୍ଠାତା ।

ଉଭୟ ଦୀର୍ଘ ଦିନର ଗବେଷଣା ପରେ ବାୟୋଡିଗ୍ରେଡବଲ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ । ଯାହାକୁ ଶସ୍ୟରୁ ବାହାରୁଥିବା ଆବର୍ଜନାରୁ ପ୍ରସ୍ତୁତ କରାଯାଇଥିଲା । ଯାହା ବଜାରରେ ସଫଳ ହୋଇଥିଲା । ପରେ ଏହାର ଉନ୍ନତ ବ୍ୟବହାର ପାଇଁ ସେମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

ଏହାକୁ ନେଇ ନିକିତା କହିଛନ୍ତି ଯେ, ସେମାନେ ପ୍ରଥମେ ବ୍ୟାଟେରୀକୁ ଦୁଇ ଚକିଆ ଓ ତିନି ଚକିଆ ଗାଡିରେ ବ୍ୟବହାର କରିବା ପାଇଁ ଚିନ୍ତା କରିଥିଲେ । ପ୍ରଥମେ ଏକ ଇଲେକ୍ଟ୍ରିକ୍ ଦୁଇ ଚକିଆରେ ସେ ଏହାର ସଫଳ ପରୀକ୍ଷା କରିଥିଲେ । ପରେ ସେ ଏହି ବ୍ୟାଟେରୀ ବ୍ୟବାହର କରି ପଜିଟିଭ୍ ରେସପନ୍ସ ପାଇଥିଲେ । ଭବିଷ୍ୟତରେ ସେ କାର ପାଇଁ ବ୍ୟାଟେରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ନିକିତା ଆହୁରି କହିଛନ୍ତି ଯେ, ସେ ବ୍ୟଟେରୀକୁ ଆହୁରି ବିକଶିତ କରିବା ଦିଗରେ କାମ କରୁଛନ୍ତି । ଚାର୍ଜିଂ ସମୟ ବାବଦରେ ସେମାନେ ଗୁରୁତ୍ୱ ଦେଉଛନ୍ତି । ଲିଥିୟମ ବ୍ୟାଟେରୀକୁ ଚେକ୍ ଦେବା ପାଇଁ କାମ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ବାହାର କରିଥିବା ଗ୍ରିନ୍ ବ୍ୟାଟେରୀକୁ ଫେରସ୍ତ ମଧ୍ୟ ନେବେ । ଫଳରେ ବ୍ୟାଟେରୀ ଖରାପ ହେଲେ  ସହଜରେ ଏହାକୁ ନଷ୍ଟ କରାଯାଇପାରିବ ।ନିକିତା ଓ ନିଶିତା ୨୦୧୯ରୁ ଗ୍ରିନ୍ ବ୍ୟାଟେରୀ ପ୍ରସ୍ତୁତ କରିବା ଦିଗରେ କାମ କରିଥିଲେ । ଯାହା ପରିବେଶ ପ୍ରତି ଅନୁକୂଳ ସାବ୍ୟସ୍ତ ହେବ ।

ସୂଚନାଯୋଗ୍ୟ, ରିପୋର୍ଟ ଅନୁସାରେ, ପ୍ରତିବର୍ଷ ବିଭିନ୍ନ ଶସ୍ୟରୁ ପ୍ରାୟ ୨୩ ମିଲିୟନ ଟନ୍ ଆବର୍ଜନା ବାହାରିଥାଏ । ଏହାକୁ ଚାଷୀମାନେ ପୋଡି ଦେଇଥାନ୍ତି । ଯାହା ପରିବେଶ ଓ ବାୟୁମଣ୍ଡଳକୁ ଦୂଷିତ କରିଥାଏ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.