ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହେବାର ସପ୍ତାହେ ପୂର୍ବରୁ ୟୁରୋପୀୟ ଦେଶରେ ଥିଲା ଏହି ଭାଇରସ୍‌

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଲୀ ୦୧/୧୨: ସମଗ୍ର ବିଶ୍ବରେ ପୁଣି ଥରେ କରୋନା ଭୂତାଣୁ ଭୟ ଘାରିଛି। ଭୁତାଣୁର ନୂଆ ରୂପ ‘ଓମିକ୍ରନ୍‌’ ପାଇଁ ପୁଣି ଅଧିକାଂଶ ଦେଶ ନିଜର ସୀମା ସିଲ କରିବା ଆରମ୍ଭ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ସଂକ୍ରମଣ ପ୍ରଥମେ ଚିହ୍ନଟ ହୋଇଥିବା ନେଇ ଦାବି ହେଉଥିବା ବେଳେ ଏହାର ଗୋଟିଏ ସପ୍ତାହ ପୂର୍ବରୁ ନେଦରଲାଣ୍ଡରେ ଏହି ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସାଉଥ ଆଫ୍ରିକାରୁ ଦୁଇଟି ବିମାନରେ ଓମିକ୍ରନ୍‌ ସଂକ୍ରମିତ ନେଦରଲାଣ୍ଡରେ ପହଞ୍ଚିବାର ଗୋଟିଏ ସପ୍ତାହ ପୂର୍ବରୁ ନେଦରଲାଣ୍ଡରେ ଓମିକ୍ରନ୍‌ ଭୂତାଣୁ ନିଜର ଉପସ୍ଥିତି ଜାହିର କରିସାରିଥିଲା ।

ସାଉଥ ଆଫ୍ରିକାରୁ ବିମାନ ନେଦରଲାଣ୍ଡରେ ପହଞ୍ଚିବା ପୂର୍ବରୁ ନଭେମ୍ବର ୧୯ ଏବଂ ୨୩ରେ ସଂଗ୍ରହ କରାଯାଇଥିବା ସାମ୍ପଲ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଏନେଇ ଜାତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନ (ଆରଆଇଭିଏମ୍‌) ସୂଚନା ଦେଇଛି। ପରେ ନଭେମ୍ବର ୨୬ ତାରିଖରେ ଜୋହାନ୍ସବର୍ଗ ଏବଂ କେପଟାଉନ୍‌ରୁ ମୋଟ ୧୪ ଜଣ ଯାତ୍ରୀ ଅମଷ୍ଟରଡାମ୍ର ସ୍କିପ୍‌ହୋଲ୍‌ ବିମାନବନ୍ଦରରେ ପହଞ୍ଚିଥିଲେ।

ସେମାନଙ୍କ ସହ ଓମିକ୍ରନ୍‌ ମଧ୍ୟ ଦେଶରେ ପହଞ୍ଚିଛି। ଏନେଇ ଜଣାପଡ଼ିବା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ଆରଆଇଭିଏମ୍‌ ପକ୍ଷରୁ କୁହାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ନଭେମ୍ବର ୨୪ ତାରିଖରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଓମିକ୍ରନ୍‌ ସଂକ୍ରମଣ ମିଳିଥିଲା। ତାପରେ ଦକ୍ଷିଣ ଆଫ୍ରିକାରୁ ଦୁଇ କେଏଲଏମ ବିମାନରେ ୧୪ ଓମିକ୍ରନ୍‌ ଭାରିଏଣ୍ଟ ସଂକ୍ରମିତ  ନେଦରଲାଣ୍ଡରେ ପହଞ୍ଚିଥିବା କୁହାଯାଉଛି। ଏହା ବ୍ୟତୀତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଔପଚାରିକ ଭାବେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଭୂତାଣୁ ନେଇ ସୂଚନା ମିଳିବା ପୂର୍ବରୁ ଅନ୍ୟ ୟୁରୋପୀୟ ଦେଶରେ ମଧ୍ୟ ଏହି ଭୂତାଣୁ ଚିହ୍ନଟ ହୋଇଥିଲା।

ବେଲଜିୟମ୍‌ ଏବଂ ଜର୍ମାନୀ ମଧ୍ୟ ଓମିକ୍ରନ୍‌ ସଂକ୍ରମଣ ଲିଷ୍ଟରେ ସାମିଲ ହୋଇଛି। ଆହୁରି ଓମିକ୍ରନ୍‌ ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଆରଆଇଭିଏମ୍‌ ମୁଖ୍ୟ ଆଉରା ଟିମେନ୍‌ କହିଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ନେଦରଲାଣ୍ଡରେ ୟୁରୋପର ସର୍ବାଧିକ ଓମିକ୍ରନ୍‌ ମାମଲା ୧୬ରେ ପହଞ୍ଚିଛି । ଆଉରା ଟିମେନ୍‌ଙ୍କ  ଅନୁସାରେ, ପ୍ରଥମେ ୟୁରୋପର ବେଲଜିୟମରୁ ପ୍ରଥମ ଓମିକ୍ରନ୍‌ ସଂକ୍ରମଣ ମିଳିଥିଲା। ତାପରେ ସଂକ୍ରମଣ ବ୍ୟାପୁଛି।

ତେବେ ଏହି ନୂଆ ଭାରିଏଣ୍ଟ ସଂକ୍ରମଣ କେବେ ସୀମିତ ହୋଇ ରହିନଥିବ । ବୋଧହୁଏ ଏହି ଭାରିଏଣ୍ଟ ବିଶ୍ବରେ ବ୍ୟାପିସାରିଲାଣି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ବେଲଜିୟମରେ ପ୍ରଥମ ଓମିକ୍ରନ ମାମଲା ନଭେମ୍ବର ୨୨ରେ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଠାରେ ୧୧ ଦିନ ପରେ ଲକ୍ଷଣ ପ୍ରକାଶ ପାଇଥିଲା। ସେହିଭଳି ନଭେମ୍ବର ୨୧ ତାରିଖରେ ପ୍ରଥମେ ଫ୍ରାଙ୍କଫ୍ରୁଟ୍‌ ଏୟାରପୋର୍ଟରେ ଏହି ସଂକ୍ରମଣ ଚିହ୍ନଟ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.