‘ମିଲ୍ଓ୍ବର୍ମ’କୁ ଏବେ ରାତ୍ରି ଭୋଜନରେ ଖାଇପାରିବେ, ଭୋଜନ କୀଟକୁ ମାନବୀୟ ଖାଦ୍ୟର ମାନ୍ୟତା ଦେଲା EU
14/01/2021 at 7:45 PM

ନୂଆଦିଲ୍ଲୀ ୧୪/୦୧: ପୋକ, ଜୋକ, କୁକୁର, ମାଙ୍କଡ଼ ଆଦି ଖାଦ୍ୟ ଭାବେ ଗ୍ରହଣ କରୁଥିବା ଦେଶ କହିଲେ ଲୋକେ ଚୀନର ଉଦାହରଣ ଦେଉଛନ୍ତି। କିନ୍ତୁ ବିଶ୍ବର ଅଧିକାଂଶ ଦେଶରେ ଲୋକେ କୀଟପତଙ୍ଗକୁ ଖାଦ୍ୟ ଭାବେ ଗ୍ରହଣ କରନ୍ତି। ସେହିଭଳି ୟୁରୋପର ଯେକୌଣସି ହୋଟେଲ କିମ୍ବା ରେଷ୍ଟୋରାଣ୍ଟକୁ ଗଲେ ମିଳିବ ନିଆରା ଡିସ୍। ଯେଉଁଥରେ ବ୍ୟବହାର ହୋଇଥିବ ହଳଦିଆ ଭୋଜନ କୀଟ ବା ମିଲ୍ଓ୍ବର୍ମ।
ପ୍ରଥମ ଥର ପାଇଁ ୟୁରୋପରେ ବିସ୍କୁଟ, ପାସ୍ତା , ବର୍ଗରରେ ହଳଦିଆ ଭୋଜନ କୀଟ ବ୍ୟବହାର କରାଯିବ। ଏନେଇ ୟୁରୋପୀୟ ସଂଘ ଅନୁମତି ଦେଇଥିବା ଜଣାପଡ଼ିଛି। ୟୁରୋପୀୟ ସଂଘର ଖାଦ୍ୟ ସୁରକ୍ଷା ଏଜେନ୍ସିର କହିବା କଥା ହେଲା ଭୋଜନ କୀଟ ମଣିଷର ଖାଦ୍ୟ ଉପଯୋଗୀ। ତେବେ ଭୋଜନ କୀଟର ପାଉଡର କରି ମଧ୍ୟ ବ୍ୟବହାର କରାଯାଇପାରୁଛି। ନଚେତ ସ୍ନାକ୍, ଚକୋଲେଟ୍ରେ ଗୋଟା ପକାଯାଇପାରିବ ବୋଲି ଜଣାପଡ଼ିଛି।
ଇନ୍ସେକ୍ଟ ଫର ଫୁଡ୍ ପ୍ରଡକ୍ସନ କମ୍ପାନୀରେ ପ୍ରଥମେ ଏହି କୀଟକୁ ଖାଦ୍ୟ ରୂପେ ବ୍ୟବହାର କରିବା ପରେ ଇୟୁ ଖାଦ୍ୟ ସୁରକ୍ଷା ଏଜେନ୍ସିର ବୈଜ୍ଞାନିକମାନେ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି। ପୁରା ମହାଦେଶରେ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରାଯିବା ସହ ସୁପରମାର୍କେଟରେ ଏହାକୁ ବିକ୍ରି କରାଯିବାକୁ ଅନୁମତି ମିଳିଛି।
ଏହି କୀଟ ଖାଇବା ଦ୍ବାରା ଶରୀରରେ ପ୍ରୋଟିନ୍, ଫ୍ୟାଟ୍ ଓ ଫାଇବର ମାତ୍ରା ବୃଦ୍ଧି ପାଏ। ଯାହା ମଣିଷ ପାଇଁ ଉପଯୋଗୀ। କମ୍ କାର୍ବନ ନିର୍ଗତ କରୁଥିବା ଖାଦ୍ୟ ମଧ୍ୟରେ ଭୋଜନ କୀଟକୁ ଭବିଷ୍ୟତରେ ସାମିଲ କରାଯିବ। ଶୁଖିବା ପରେ ବାଦାମ ଭଳି ଭୋଜନ କୀଟ ଲାଗିବ ବୋଲି ଜଣାପଡ଼ିଛି।
ଶୁଖିଲା ଭୋଜନ କୀଟକୁ ସେମିତି ଖାଇ ହେବ ବା ଏହାକୁ ଖାଦ୍ୟର ସୁଗନ୍ଧ ବଢ଼ାଇବାକୁ ବ୍ୟବହାର କରାଯିବ। ଅନ୍ୟପଟେ ଶୁଖିଲା ଭୋଜନ କୀଟକୁ ଗୁଣ୍ଡ କରିବା ଫଳରେ ଏହା ଅଟା ଭଳି ମଧ୍ୟ ବ୍ୟବହାର ହୋଇପାରିବ। ତେବେ ଏହାକୁ ବିଶେଷ କରି ଏବେ କପ୍କେକ୍ ପାଇଁ ବ୍ୟବହାର କରାଯାଇପାରିବ ବୋଲି ଜଣାପଡ଼ିଛି।