ଗର୍ଜିଲେ ଦାମ ସମର୍ଥକ: ଏରସମାରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ କୁଶ ପୁତ୍ତଳିକା ଦାହ
11/09/2018 at 5:30 PM

ଜଗତସିଂହପୁର୧୧|୯: ଦାମଙ୍କୁ ବିରୋଧ କରିବା ମହଙ୍ଗା ପଡିଲା ଏରସମା ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ । ଏରସମାରେ ଆଜି ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସେହିଭଳି ଜଗତସିଂପୁର ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ବିରୋଧରେ ହୋଇଛି ନାରାବାଜି।
ତେଜିଲା ବିଜୁଜନତା ଦଳରେ କନ୍ଦଳ। ଜଗତସିଂହପୁର ଜିଲ୍ଲାରେ ବିଜେଡିରେ ଗୋଷ୍ଠୀ କନ୍ଦଳ ନୁଆ ନଥିଲେ ମଧ୍ୟ ଏବେ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା ଏରସମା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏକାଠି ହୋଇ ଦାମ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ଫଳରେ ଏରସମାରେ ଦାମଙ୍କ ସମର୍ଥକମାନେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ଦାହ କରିବା ସହ ଏରସମାରେ ପ୍ରଶାନ୍ତଙ୍କୁ ପୁରାଇ ଦେବୁନାହିଁ ବୋଲି ଧମକ ଦେଇଛନ୍ତି।
ଏରସମା ନାଗରିକ ମଞ୍ଚ ଓ ଦାମ ସମର୍ଥକମାନେ ଆଜି ଏରସମା ବସଷ୍ଟାଣ୍ଡଠାରେ ଥିବା ବିଜୁବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରତିବାଦ ଶୋଭଯାତ୍ରାରେ ବଜାର ପରିକ୍ରମା କରିଥିଲେ। ପରେ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ବିଷ୍ଣୁ ଦାସ ବିରୋଧରେ ନାରାବାଜି କରି କୁଶପୁତଳିକା ଦାହ କରିଥିଲେ।
୧୯୪୨ମସିହା ସେପ୍ଟେମ୍ବର୬ତାରିଖ ସ୍ୱାଧୀନତା ଆନ୍ଦୋଳନରେ ଏରସମା ଥାନା ପୋଡିକୁ ଐତିହାସିକ ଏରସମା ବିପ୍ଳବ ଦିବସ ରୂପେ ଗତ ୯ତାରିଖରେ ସଂକଳ୍ପ ସାମାଜିକ ସଂଗଠନ ପକ୍ଷରୁ ପାଳନ କରାଯାଇଥିଲା। ଏଥିରେ କଂଗ୍ରେସ, ବିଜେପି ଓ ବିଜେଡି ଅସନ୍ତୁଷ୍ଟ ନେତାଙ୍କ ସହ ଦାମବାବୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମାବେଶକୁ କଂଗ୍ରେସ ନେତା ଶାରଦା ଜେନା ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଡକାଯାଇନଥିବଲା । ସମାରୋହରେ ପ୍ରଶାନ୍ତଙ୍କ ବିରୋଧରେ ବକ୍ତା କଟୁକ୍ତି କରିଥିଲେ। ଦାମବାବୁ ମଧ୍ୟ ବିଧାୟକ ପ୍ରଶାନ୍ତଙ୍କ ନାଆଁ ନନେଇ ଏରସମାରେ ସେ ଯେତିକି ବିକାଶ କରିଥିଲେ ସେତିକି ହୋଇଛି ବୋଲି କହିଥିଲେ। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି।
ପୂର୍ବରୁ ଦାମବାବୁ ଦଳୀୟ ମନ୍ତ୍ରୀଙ୍କ ବିରୁଦ୍ଧରେ ବିଷୋଦଗାର କରି ଟାର୍ଗେଟରେ ଥିବା ବେଳେ ଏବେ ବିରୋଧୀଙ୍କ ସମାବେଶରେ ମୁଖ୍ୟ ଅତିଥି ହୋଇ ଦଳୀୟ ନେତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ମାତ୍ର ଦାମବାବୁଙ୍କ ସମର୍ଥକ ମାନେ ଦାମବିରୋଧୀଙ୍କ ବିରୋଧରେ ରଣ ହୁଙ୍କାର ଦେବା ଦଳୀୟ କନ୍ଦଳକୁ ବଢାଇବାରେ ସହାୟକ ହୋଇଛି ।