ସିଏଜି ରିପୋର୍ଟ: ବିଏମସି ଓ ବିଡିଏର ପରିଚାଳନାରେ ତ୍ରୁଟି, ସରକାରୀ ତହବିଲରୁ କୋଟି କୋଟି କ୍ଷତି, ଏକ୍ସପାରୀ ହୋଇଗଲା ଏତେ ଟଙ୍କାର ଔଷଧ

Published By : Prameya-News7 Bureau | April 03, 2021 IST

ଭୁବନେଶ୍ଵର ୦୩।୦୪: ରାଜ୍ୟ ଔଷଧ ନିଗମରେ ଅନିୟମିତା । ବିଏମସି ଓ ବିଡିଏ ପରିଚାଳନାରେ ତ୍ରୁଟି । ଆଉ ଜିନ୍ଦଲ ଥର୍ମାଲ ପାଓ୍ଵର ପ୍ଲାଣ୍ଟକୁ ଶସ୍ତାରେ ଜମି ଯୋଗାଇ ସରକାରୀ ତହବିଲରୁ କୋଟି କୋଟି କ୍ଷତି । ଏଭଳି ଅନେକ ଅନିୟମିତତାକୁ ଧରିଛନ୍ତି ସିଏଜି । ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟ- ୨୦୨୦ ରେ ଏମିତି କେତେକ ତଥ୍ୟ ସାମ୍ନାକୁ ଆସିଛି ।

ରାଜ୍ୟ ଔଷଧ ନିଗମ ତା ଦାୟିତ୍ଵ ଠିକ୍ ଭାବେ ତୁଲାଉ ନାହିଁ । ଔଷଧ ଓ ଅନ୍ୟାନ ସାମଗ୍ରୀ କିଣିବାରେ ଅହେତୁକ ବିଳମ୍ବ କରାଯାଉଛି । ଫଳରେ ରୋଗୀମାନେ ଶସ୍ତାରେ ଔଷଧ ପାଇବାରୁ ବଞ୍ଚିତ ହେଉଛନ୍ତି । ନିରାମୟ ଯୋଜନାରେ ବଣ୍ଟା ଯାଉଥିବା ଔଷଧ ବିଳମ୍ବରେ ପହଞ୍ଚୁଥିବା କାରଣରୁ ୪ କୋଟି ୧୮ ଲକ୍ଷ ଟଙ୍କାର ଔଷଧ ଏକ୍ସପାରୀ ହୋଇଯାଇଛି । ଯାହାକୁ ନାପସନ୍ଦ କରିଛନ୍ତି ସିଏଜି ।

ସେହିଭଳି ଦୀନ ଦୟାଲ ଉପାଧ୍ୟାୟ କୌଶଲ ଯୋଜନାରେ ଅନିୟମିତତା ପଦାକୁ ଆସିଛି । ଅନେକ ପ୍ରାଇଭେଟ ସଂସ୍ଥା ଏହି ଯୋଜନାରେ ଅର୍ଥ ନେଇ ଚାକିରି ଯୋଗାଇବା ଉପରେ ମିଥ୍ୟା ତଥ୍ୟ ଦେଇଛନ୍ତି । ଏମିତିକି ଏକ ସଂସ୍ଥା ଟ୍ରେନିଙ୍ଗ ପାଇଁ ୩ କୋଟି ୩୦ ଲକ୍ଷ୍ୟ ପାଇବାକୁ ହକଦାର ଥିବାବେଳେ ତାକୁ ଓରମାସ୍ ପକ୍ଷରୁ ୬ କୋଟି ୬୦ ଲକ୍ଷ ଦିଆଯାଇଥିବା ସିଏଜି ଧରିଛନ୍ତି ।

ଛତ୍ରପୁରରେ ଜମି ଅଧିଗ୍ରହଣ ପାଇଁ ବଜାର ଦରଠୁ ଅଧିକ ଦର ଦିଆଯାଇଥିବା କାରଣରୁ ୨୯ କୋଟି ୪୫ ଲକ୍ଷ କ୍ଷତି ହୋଇଛି । ସେହିଭଳି ବିଏମସି ଫଳ ମାର୍କେଟକୁ ବିଜୁଳି ଯୋଗାଇବାରେ ବିଫଳତା ପାଇଁ ୧ କୋଟି ୧୩ ଲକ୍ଷ କ୍ଷତି ହୋଇଛି । ଭୁବନେଶ୍ବର ବିଭିନ୍ନ ସ୍ଥାନରେ ବିଜ୍ଞାପନ ହୋର୍ଡିଂ ଟେଣ୍ଡର ନେଇଥିବା ଟିମ୍ ଆଡମାର୍କ ସଂସ୍ଥା ଉପରେ ଏବେ ୧୩ କୋଟି ବାକି ପଡିଛି । ଏବେ ତାହା ଆଦାୟ ହେବକି ନାହିଁ ସେନେଇ ସନ୍ଦେହ ପ୍ରକଟ କରିଛନ୍ତି ସିଏଜି ।

ବିଡିଏ ଅଟୋମେସନ ପାଇଁ ଭିଏଫଏସ୍ ନାମକ ଏକ ସଂସ୍ଥା ସହ ଚୁକ୍ତି ହୋଇଥିଲା । ତେବେ ଏହି ସଂସ୍ଥା ତାହା ନକରିବା କାରଣରୁ ୨ କୋଟି ୬୨ ଲକ୍ଷ କ୍ଷତି ସହିବ ବିଡିଏ ।  ସେହିଭଳି ଜିନ୍ଦଲ ଥର୍ମାଲ ପାୱାରକୁ ଶସ୍ତାରେ ଜମି ଦିଆଯିବା କାରଣରୁ ସରକାରୀ ତହବିଲ୍ କୁ ୨ କୋଟି ୩୦ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିଛି । ଅନ୍ତରାଜ୍ୟ ଜଳପଥ କର୍ତ୍ତୃପକ୍ଷଙ୍କ ନିୟମ ନମାନି ବ୍ରିଜ୍ କରାଯାଇଥିବା କାରଣରୁ ୪ କୋଟି ୬୨ ଲକ୍ଷ କ୍ଷତି ସହିବାକୁ ପଡିଛି ସରକାରଙ୍କୁ । ଏଭଳି ବିଭିନ୍ନ ବିଭାଗର ଅନିୟମିତତା ଓ ସରକାରୀ ସ୍ଥାଣୁତା ଉପରେ ସିଏଜି ପ୍ରଶ୍ନ ଉଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.