ସୀତା ମାଙ୍କ ବିନା ଭଗବାନ ରାମଚନ୍ଦ୍ରଙ୍କ ମୂର୍ତ୍ତି : ନାରୀ ଶକ୍ତି ଓ ମିଥିଳା ପ୍ରତି ଅପମାନ : କୀର୍ତ୍ତି ଆଜାଦ
Published By : Prameya-News7 Bureau | November 26, 2018 IST
ଉତ୍ତରପ୍ରଦେଶ ୨୬/୧୧: ଗୋଟିଏପଟେ ସାଧୁ ସନ୍ଥମାନେ ଅଯୋଧ୍ୟାରେ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ କରିବାକୁ ଦାବି କରୁଥିବାବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଗବାନ ରାମଚନ୍ଦ୍ରଙ୍କ ବିଶ୍ବର ସବୁଠୁ ବିଶାଳ ମୂର୍ତ୍ତି ନିର୍ମାଣ କରିବାକୁ ଘୋଷଣା କରିଛନ୍ତି।
ବିହାରର ଦରଭଙ୍ଗାରେ ବିଜେପିର ସାଂସଦ ପଦରୁ ବିତାଡ଼ିତ ହୋଇଥିବା କୀର୍ତ୍ତି ଆଜାଦ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଭଗବାନ ରାମଚନ୍ଦ୍ରଙ୍କ ବିଶାଳ ମୂର୍ତ୍ତି ନିର୍ମାଣ କରିବାର ଘୋଷଣା ବିରୋଧରେ ପ୍ରଶ୍ନ କରିଛନ୍ତି। ଆଜାଦ କହିଛନ୍ତି ଯେ ମାତା ସୀତାଙ୍କ ବିନା ଭଗବାନ ରାମଚନ୍ଦ୍ରଙ୍କ ମୂର୍ତ୍ତି ସ୍ଥାପନ କରିବା କେବଳ ଯେ ମାତା ସୀତା ବରଂ ସମଗ୍ର ମିଥିଳା ଏବଂ ନାରୀ ଶକ୍ତି ପ୍ରତି ଅପମାନ କରିବା ସହ ସମାନ ହେବ।
ଗତ ଶନିବାର ଦିନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ସରକାରୀ ବାସଭବନରେ ବୈଠକ ଡାକିଥିଲେ। ବୈଠକରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ମୂର୍ତ୍ତି ସମ୍ବନ୍ଧରେ ଚର୍ଚ୍ଚା କରାଗଲା। ଏଠାରେ ମୂର୍ତ୍ତିର ନମୁନା ମଧ୍ୟ ଉପସ୍ଥାପିତ କରାଯାଇଥିଲା।