ଭୀମସାରରେ ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ ! ଏଚଆଇଭି ରୋଗୀଙ୍କ ଅସ୍ତ୍ରୋପଚାର ପରେ ସେହି ଉପକରଣରେ ଅନ୍ୟ ୩ଜଣଙ୍କ ଅସ୍ତ୍ରୋପଚାର ଅଭିଯୋଗ

Published By : Prameya-News7 Bureau | October 30, 2019 IST

ସମ୍ବଲପୁର ୩୦।୧୦:  ଭୀମସାରରେ ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ । ଏଚଆଇଭି ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିା ଉପକରଣରେ ଅନ୍ୟ ୩ ଜଣଙ୍କ ଅସ୍ତ୍ରୋପଚାର କରାଯିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ବୁର୍ଲା ବଡ଼ ଡାକ୍ତରଖାନାର ଦନ୍ତଶଲ୍ୟ ବିଭାଗରେ ଜଣେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଓ ପରେ ଅନେକ ନିୟମର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡିବା ପରେ ଅସ୍ତ୍ରୋପଚାର କକ୍ଷକୁ ଷ୍ଟେରିଲାଇଜେସନ କରିବାକୁ ତାଲା ଝୁଲାଇ ଦିଆଯାଇଛି । ଓଟି ବନ୍ଦ ଥିବାରୁ ଅନ୍ୟ ରୋଗୀଙ୍କ ଅପରେସନ ବନ୍ଦ ରହିଛି ।

ଗତ ୧୩ ତାରିଖରେ ଅନୁଗୋଳ ଜିଲ୍ଲା କିଶୋରନଗରର ଜଣେ ଏଚଆଇଭି ସଂକ୍ରମିତ ରୋଗୀ ଦୁର୍ଘଟଣାର ଶିକାର ହେବା ପରେ ବୁର୍ଲା ମେଡିକାଲର ସର୍ଜରି ୱାର୍ଡରେ ଭର୍ତ୍ତି ହୋଇଥିଲେ । ଏହି ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ପାଇଁ ଦନ୍ତ ବିଭାଗକୁ ଅଣାଯାଇଥିଲା । ଦାୟିତ୍ବରେ ଥିବା ସହଯୋଗୀ ପ୍ରଫେସର ଡାକ୍ତର ପ୍ରଶାନ୍ତ ସ୍ବାଇଁ ତାଙ୍କ ଅସ୍ତ୍ରୋପଚାର କରିଥିଲେ । ରୋଗୀ ଜଣଙ୍କ ଏଚଆଇଭି ସଂକ୍ରମିତ ବୋଲି ସର୍ଜରୀ ବିଭାଗ ରିପୋର୍ଟରେ ଉଲ୍ଲେଖ ଥିଲା । ଏହା ବାଦ୍ ଏହି ରୋଗୀଙ୍କ ପରେ ଅନ୍ୟ ୩ଜଣଙ୍କ ଚିକିତ୍ସା ସେହି ଉପକରଣରେ କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ରୋଗୀ ଓ ସମ୍ପର୍କୀୟ ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ।

ଅନ୍ୟପକ୍ଷରେ ଡାକ୍ତର ସ୍ବାଇଁ କହିଛନ୍ତି ରୋଗୀ ଏଚଆଇଭି ସଂକ୍ରମିତ ଥିବା ଜଣାପଡିଥିଲା । ଏଚଆଇଭି ସଙ୍କ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପରେ ବ୍ୟବହୃତ ଓଟି ସାମଗ୍ରୀ ଅଲଗା କରାଯାଇଥିଲା । ଅନ୍ୟମାନଙ୍କୁ ଅନ୍ୟ ବେଡ୍ ଓ ଅନ୍ୟ ଯନ୍ତ୍ରାଂଶରେ ଅସ୍ତ୍ରୋପଚାର କରାଯାଇଛି । ସେପେଟ ମେଡିକାଲ ଅଧିକ୍ଷକ ଡା ଜୟଶ୍ରୀ ଦୋରା କହିଛନ୍ତି ଏଚଆଇଭି ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପରେ ଓଟି ଜୀବାଣୁ ମୁକ୍ତ କରିବାକୁ  ଗୋଟିଏ ଦିନ ବନ୍ଦ ରଖାଯାଏ । ହେଲେ ଭୀମସାର ଦନ୍ତଶଲ୍ୟ ବିଭାଗ ବାବଦରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ତେବେ ପୁରା ଘଟଣାର ତଦନ୍ତ ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.