କାର୍ଯ୍ୟାଳୟ ନଆସି ଇପିଏଫ ଜମା ରାଶି ଟଙ୍କା ଉଠାଇବା କିମ୍ବା ଅନ୍ୟ କାମ ପାଇଁ ଘରୁ ଅନଲାଇନରେ ଆବେଦନ କରନ୍ତୁ: EPFO
19/03/2020 at 6:28 PM

ନୂଆଦିଲ୍ଲୀ ୧୯।୦୩: ଦେଶରେ କରୋନା ଭୂତାଣୁର ପ୍ରକୋପ ବଢିବାରେ ଲାଗିଛି। ଆଜି ଜଣଙ୍କର ମୃତ୍ୟୁ ଘଟିବା ସହ ମୃତକଙ୍କ ସଂଖ୍ୟା ୪ ହୋଇଛି। ଏହି ଭୂତାଣୁକୁ ରୋକିବା ଲାଗି ସରକାରଙ୍କ ଦ୍ଵାରା ଦେଶବ୍ୟାପୀ ଚେଷ୍ଟା ଜାରି ରହିଛି। ସ୍କୁଲ, କଲେଜ, ବିଶ୍ଵ ବିଦ୍ୟାଳୟ ସମେତ ସିନେମା ହଲ, ସପିଂ ମଲ ଏପରି ଅନେକ ବନ୍ଦ ରଖାଯାଇଛି। କାର୍ଯ୍ୟାଳୟରେ ଭିଡ କମ କରିବାକୁ କେନ୍ଦ୍ର ସରକାର ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଇପିଏଏଫଓ ଉପଭୋକ୍ତାଙ୍କୁ ଇପିଏଫଓ କାର୍ଯ୍ୟାଳୟକୁ ଯିବା ଆସିବା କରିବା ଏବଂ ସେଠାରେ ଜନ ସମାବେଶକୁ ପରିହାର୍ଯ୍ୟ କରିବା ପାଇଁ ନିରାକରଣ ପଦକ୍ଷେପସ୍ଵରୁପ ଉପଭୋକ୍ତାମାନଙ୍କୁ ଅଲ ଲାଇନ୍ ଜରିଆରେ କାର୍ଯ୍ୟ ସମ୍ପାଦନ କରିବାକୁ କୁହାଯାଇଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ-୧୯କୁ ରୋକିବା ପାଇଁ କର୍ମଚାରୀ ଭବିଷ୍ୟନିଧି ସଂଗଠନ ନିଜର ଉପଭୋକ୍ତାଙ୍କୁ ଅନୁରୋଧ କରିଛି ଯେ, ସେମାନେ ଇପିଏଫଓ ସମ୍ବନ୍ଧୀୟ ଜମା ରାଶି ଟଙ୍କା ଉଠାଇବା ପାଇଁ କାର୍ଯ୍ୟାଳୟକୁ ନଆସି www.epfindia.gov.inରେ ପ୍ରଦତ୍ତ ୟୁଏଏନ ପୋର୍ଟାଲ ସାହାଯ୍ୟରେ ଦାବି ପତ୍ର ଦାଖଲ କରନ୍ତୁ।
ସେହି ପରି ପେନସନ ଜୀବନ ପ୍ରମାଣ ପତ୍ର ପାଇଁ www.jeevanpramaan.gov.in , UMANG App ଏବଂ ଯେ କୌଣସି ଅଭିଯୋଗ ପାଇଁ subject column ରେ grievance ଉଲ୍ଲେଖ କରି ଭୁବନେଶ୍ଵର ଆଞ୍ଚଳିତ କାର୍ଯ୍ୟାଳୟର ଇମେଲ ro.bhubaneswar@epfindia.gov.in ରେ ପଠାଇବା ପାଇଁ ଅନୁରୋଧ କରାଯାଇଛି। ଏହା ବ୍ୟତୀତ ଅନ୍ୟ କୌଣସି ବିଷୟରେ ଜାଣିବା ପାଇଁ ପ୍ରଦତ୍ତ ଫୋନ ନମ୍ବର ୦୬୭୪-୨୫୪୩୫୬୬, ୨୫୪୩୨୬୯ରେ ତଥା ନ୍ୟାସନାଲ ଟୋଲ୍ ଫ୍ରି ନମ୍ଵର ୧୮୦୦-୧୧-୮୦୦୫ରେ ଯୋଗାଯୋଗ କରି ପାରିବେ।