ଡିସିପି କାର୍ଯ୍ୟାଳୟରେ ଆର୍ଥିକ ଅପରାଧ ଶାଖା(EOW)ର ଚଢ଼ଉ: ଜଣେ କନେଷ୍ଟବଳ ଗିରଫ, ମହିଳା ପୋଲିସ କର୍ମଚାରୀ ଫେରାର୍

Published By : Prameya-News7 Bureau | October 03, 2019 IST

ନୂଆଦିଲ୍ଲୀ୩|୧୦: ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟର ଘଟଣା। ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଡିସିପିଙ୍କ କାର୍ଯ୍ୟାଳୟରେ ଛାନଭିନ୍ନ କରିବା ଘଟଣା ଏକ ଚର୍ଚ୍ଚାର ବିଷୟ ପାଲିଟିଛି। ଘଟଣାସ୍ଥଳରୁ ଜଣେ କନେଷ୍ଟବଳ ଗିରଫ ହୋଇଛନ୍ତି। ଅର୍ଥ ଅନିୟମିତତା ଅଭିଯୋଗରେ କନେଷ୍ଟବଳଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛନ୍ତି। ତଦନ୍ତ ବେଳେ ଜଣେ ମହିଳା ପୋଲିସ କର୍ମଚାରୀ ଫେରାର ହୋଇଯାଇଛନ୍ତି। ଘଟଣାରେ ସଂପୃକ୍ତ ଅନ୍ୟ ପୋଲିସ କର୍ମଚାରୀମାନେ ମଧ୍ୟ ଫେରାର ହୋଇଯାଇଛନ୍ତି। ଇଓଡବ୍ଲ୍ୟୁ ଅଧିକାରୀମାନେ ସେମାନଙ୍କୁ ଖୋଜୁଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଆର୍ଥିକ ଅପରାଧ ଶାଖା ଏକ ମାମଲା ରୁଜୁ କରିଥିଲେ। ଦିଲ୍ଲୀର କିଛି ପୋଲିସ କର୍ମଚାରୀଙ୍କ ହାଉସ ରେଣ୍ଟ ଆଲାଉନ୍ସରେ ଅର୍ଥ ହେରାଫେରି ଅଭିଯୋଗରେ କନେଷ୍ଟବଳ ଅନୀଲ କୁମାରଙ୍କୁ ଗିରଫ କରାଯାଇଛି।

ପୋଲିସର ସୂଚନା ମୁତାବକ, ୨୪ ପୋଲିସ କର୍ମଚାରୀଙ୍କ ହାଉସ ରେଣ୍ଟ ଆଲାଉନ୍ସରେ ହେରାଫେରି କରି ଅନୀଲ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଡିପୋଜିଟ କରି ଦେଇଥିଲା। ହାଉସ ରେଣ୍ଟ ବାବଦକୁ ଆସୁଥିବା ଟଙ୍କା ହଡ଼ପ​‌ରେ ଅନ୍ୟ ପୋଲିସ କର୍ମଚାରୀଙ୍କ ସଂପୃକ୍ତି ଥିବା ନେଇ ପୋଲିସ ସୂଚନା ଦେଇଛି। ଏହି ମାମଲାରେ ପାଖିପାଖି ୨୦ ଲକ୍ଷ ଟଙ୍କା ହଡ଼ପ ହୋଇଥିବା କଥା ସାମ୍ନାକୁ ଆସିଛି। ଏନେଇ ଆଇପିସି ଧାରା ୪୨୦, ୪୦୯ ଓ ୧୨୦ରେ ଦୋଷୀଙ୍କ ବିରୋଧରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରିଛି। ଇଓଡବ୍ଲ୍ୟୁ ସହ ଦିଲ୍ଲୀ  ଭିଜିଲାନ୍ସ ମିଶି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଏପରିକି ୨୪ ଜଣ ପୋଲିସ କର୍ମଚାରୀଙ୍କ ଏରିୟର ଟଙ୍କାକୁ ବି ଅନୀଲ କୁମାର ହଡ଼ପ କରିଥିବା ଘଟଣା ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.