ଇଂଲଣ୍ଡ କ୍ୟାପ୍ଟେନ୍ ଇଅନ ମୋର୍ଗାନ ମାନିଲେ, 'ଭାରତକୁ ଭାରତରେ ହରାଇବା କଷ୍ଟକର'

Published By : Prameya-News7 Bureau | March 12, 2021 IST

ନୂଆଦିଲ୍ଲୀ,୧୨/୦୩:  ଇଂଲଣ୍ଡ ଦଳର ସୀମିତ ଓଭରର ଅଧିନାୟକ ଇଅନ ମୋର୍ଗାନ ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି । ଏହି ସିରିଜରେ ହିଁ ଖେଳାଳିଙ୍କ ପ୍ରଦର୍ଶନ ଟି୨୦ ବିଶ୍ୱକପ ପୂର୍ବରୁ ଦଳର ପ୍ରସ୍ତୁତି ବାବଦର ସୂଚନା ଦେବ ବୋଲି ସେ କହିଛନ୍ତି । ତେବେ ଭାରତ ଏକ ଶକ୍ତିଶାଳୀ ଦଳ ବୋଲି ସେ କହିଛନ୍ତି ।

ମୋର୍ଗାନ କହିଛନ୍ତି ଯେ, ସେମାନଙ୍କ ପାଖରେ ନିଜକୁ ଜାଣିବାର ଓ ଚିହ୍ନିବାର ସୁଯୋଗ ରହିଛି । ବିଶ୍ୱକପ ପୂର୍ବରୁ ଆଉ ୭ ମାସ ବାକି ରହିଛି । ଭାରତ ବିଶ୍ୱର ଏକ ସର୍ବଶ୍ରେଷ୍ଠ ଟିମ୍ । ଭାରତକୁ ନିଜ ମାଟିରେ ହରାଇବା କଷ୍ଟକର । ବିଶ୍ୱକପ ମଧ୍ୟ ଏଠାରେ ହେବାକୁ ଯାଉଛି । ଭାରତ ଏହାର ଦାବିଦାର ଅଟେ । ତେଣୁ ଇଂଲଣ୍ଡ ପାଇଁ ଏକ ଅସଲ ପରୀକ୍ଷା ହେବ । ସେ ଆହୁରି କହିଛନ୍ତି ଯେ, ଇଂଲଣ୍ଡ ଖେଳାଳି ଫର୍ମରେ ଅଛନ୍ତି । ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ମଧ୍ୟ ସାମିଲ କରାଯାଇଛି ।

ସେହିପରି ବିରାଟ କୋହଲି ଗୁରୁବାର କହିଥିଲେ ଯେ, ରୋହିତ ଶର୍ମା ଓ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଇନିଂସ ଆରମ୍ଭ କରିବେ। ଓ୍ଵାଶିଂଟନ ସୁନ୍ଦର ଭଲ ପ୍ରଦର୍ଶନ କରିଥିବାରୁ ରବିଚନ୍ଦ୍ରନ ଅଶ୍ଵିନଙ୍କ ପାଇଁ ସୀମିତ ଓଭର କ୍ରିକେଟ୍‌ରେ ସ୍ଥାନ ନାହିଁ। ଭାରତ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ପାଇଁ ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ନିଜର ପ୍ରସ୍ତୁତି ଆରମ୍ଭ କରିବ। ଅଧିନାୟକ କୋହଲି ଦଳ ସଂଯୋଜନକୁ ନେଇ କିଛି ସଙ୍କେତ ମଧ୍ୟ ଦେଇଥିଲେ ।

ସୂଚନାଯୋଗ୍ୟ, ଶୁକ୍ରାବରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜ ଆରମ୍ଭ ହେବ । ୫ଟି ମ୍ୟାଚ୍ ଖେଳାଯିବ । ସମସ୍ତ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.