ଚୀନକୁ ଘାରିଛି ସୁପରପାଓ୍ଵାର ନିଶା, ବିରୋଧରେ ଏକାଠି ହେଉଛନ୍ତି ସାରା ବିଶ୍ଵର ଦେଶ
2/09/2020 at 4:06 PM

ଓ୍ଵାଶିଂଟନ ୦୨।୦୯: ଦକ୍ଷିଣ ଏସିଆ ଓ ଦକ୍ଷିଣ ଚୀନ ସାଗରରେ ଚୀନର ବଢୁଥିବା ଦାଦାଗିରି କାରଣରୁ ଏବେ ପୂରା ବିଶ୍ଵ ଚୀନ ବିରୋଧରେ ମେଳି ବାନ୍ଧିବା ଆରମ୍ଭ କରି ଦେଇଛନ୍ତି। ତେଣୁ ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଦକ୍ଷିଣ କୋରିଆ ପରି ଦେଶ ଆମେରିକା ସହ ହାତ ମିଳାଇ ଚୀନକୁ ପ୍ରତି କ୍ଷେତ୍ରରେ ଜବାବ ଦେବାକୁ ଆଗେଇ ଆସୁଥିବା ଆମେରିକା ବୈଦେଶିକ ମନ୍ତ୍ରଣାଳୟର ସଚିବ ମାଇକ ପାମ୍ପିଓ କହିଛନ୍ତି।
ମଙ୍ଗଳବାର ଫକ୍ସ ନ୍ୟୁଜ୍ ସହ ଏକ ସାକ୍ଷାତକାର ବେଳେ ପାମ୍ପିଓ କହିଛନ୍ତି ଚୀନର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ବିରୋଧରେ ଏବେ ପୂରା ବିଶ୍ଵ ଏକାଠି ହେଉଛନ୍ତି। ସୁପର ପାଓ୍ଵାର ହେବାର ସ୍ଵପ୍ନ ଦେଖୁଥିବା କମ୍ୟୁନିଷ୍ଟ ପାର୍ଟିର ବିସ୍ତାରବାଦୀ ନୀତି, ପଡୋଶୀ ସହ ବିବାଦ କରିବା, ପଡୋଶୀ ଭୂମି କବ୍ଜା କରିବା ଏବଂ ଋଣ ଜାଲରେ ଫସାଇ ଛୋଟ ଛୋଟ ଦେଶକୁ କବଳିତ କରିବା ନେଇ ପୂରା ବିଶ୍ଵର ଦେଶ ଚୀନ ବିରୋଧୀ ହେବାରେ ଲାଗିଛନ୍ତି।
ତେଣୁ ଆମର ବନ୍ଧୁ ରାଷ୍ଟ୍ର ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଦକ୍ଷିଣ କୋରିଆ ଚୀନର ଏତାଦୃଶ୍ୟକୁ ଦୃଷ୍ଟିରେ ରଖି ନିଜ ଦେଶ ପାଇଁ ଏବଂ ନିଜ ନାଗରିକଙ୍କ ପାଇଁ ଏକତ୍ର ହେବାକୁ ଯାଉଛନ୍ତି। ଚୀନକୁ ସବୁ କ୍ଷେତ୍ରରେ ପଛଘୁଞ୍ଚା ଦେବା ପାଇଁ ଏହି ମିତ୍ର ଦେଶ ଆମେରିକା ସହ ହାତ ମିଳାଇ ରଣନୀତି ପ୍ରସ୍ତୁତ କରିବେ। ଦକ୍ଷିଣ ଚୀନ ସାଗରକୁ ଭାରତ ତାର ଲଢୁଆ ଯୁଦ୍ଧ ବିମାନ ପଠାଇବା ପ୍ରଶ୍ନର ଉତ୍ତରରେ ପାମ୍ପିଓ କହିଛନ୍ତି ଚୀନ ବିରୋଧରେ ସବୁ ଦେଶ ଏକାଠି ହେବା ଉଚିତ୍।
ପାମ୍ପିଓ କହିଛନ୍ତି ଏହି ଲଢେଇରେ ଆମେ ସବୁ ମିତ୍ର ଦେଶ ଏକାଠି ଅଛୁ। ଏହି ଦିଗରେ ଆମେ ଦୁଇ ବର୍ଷ ହେଲା କାମ କରି ଆସିଛୁ। ଏଥିରେ ଆମେ ପ୍ରଗତି ମଧ୍ୟ କରିଛୁ। ଅନେକ ଗୁଡାଏ ଦେଶ ଚୀନ କମ୍ପାନୀ ହୁଓ୍ଵାଇରୁ ମୁହଁ ଫେରେଇ ନେଲେଣି। ଚୀନର ଧମକକୁ କେହି ଆଉ ଭ୍ରୁକ୍ଷେପ କରୁ ନାହାନ୍ତି।
ବେଜିଂ ୧.୩ ମିଲିୟନ ବର୍ଗ ମାଇଲ୍ ଦକ୍ଷିଣ ଚୀନ ସାଗର ନିଜର ବୋଲି ଦାବି କରୁଛି। ଦକ୍ଷିଣ ଚୀନ ସାଗରରେ କୃତ୍ରିମ ଦ୍ଵୀପ ନିର୍ମାଣ କରି ଚୀନ ଅନେକ ସାମରିକ ଘାଟି ମଧ୍ୟ ନିର୍ମାଣ କରିଛି। ଦକ୍ଷିଣ ଚୀନ ସାଗରର ବିବାଦୀୟ ଅଞ୍ଚଳରେ ବ୍ରୁନେଇ, ମାଲେସିଆ, ଫିଲିପାଇନ୍ସ, ତାଇଓ୍ଵାନ ଓ ଭିଏତନାମ ସହ ଚୀନର ବିବାଦ ଲାଗି ରହିଛି ବୋଲି ପାମ୍ପିଓ କହିଛନ୍ତି।
ସେ କହିଛନ୍ତି ଚୀନ ପୂର୍ବ ଲଦାଖର ଏଲଏସିରେ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛି। ଫଳରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଚୀନକୁ ଘେରିବାକୁ ଯାଇ ଭାରତ ଦକ୍ଷିଣ ଚୀନ ସାଗରରେ ଯୁଦ୍ଧଜାହାଜ ମୁତୟନ କରିଛି। ଭାରତ ଚାହେଁ ଉକ୍ତ ସାମୁଦ୍ରିକ ଅଞ୍ଚଳରେ ଅନ୍ତରାଷ୍ଟ୍ରୀୟ ନିୟମ ଆଧାରରେ ମୁକ୍ତ ବାଣିଜ୍ୟ ଓ ଗମନାଗମନ ଜାରି ରହୁ।
ଦକ୍ଷିଣ ଚୀନ ସାଗରରେ ଚୀନ ଯେଉଁ ବିବାଦୀୟ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି ଆମେରିକା ତାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରୁଛି। ଏକବିଂଶ ଶତାବ୍ଦୀରେ ଚୀନର ବିସ୍ତାରବାଦୀ ନୀତି ଚାଲିବ ନାହିଁ ବୋଲି ପାମ୍ପିଓ କହିଛନ୍ତି।