ଆଜି ମାଟ୍ରିକ ଇଂରାଜୀ ପରୀକ୍ଷା : ମାଲପ୍ରାକ୍ଟିସ ଓ ଭାଇରାଲ ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ପରୀକ୍ଷା କେନ୍ଦ୍ରରେ ହେବ ତ୍ରିସ୍ତରୀୟ ଯାଞ୍ଚ

Published By : Prameya-News7 Bureau | February 22, 2020 IST

ଭୁବନେଶ୍ବର ୨୨।୦୨: ଶନିବାର ଦିନ ମାଟ୍ରିକରେ ଇଂରାଜୀ ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଥିଲା । ମାଧ୍ୟମିକ ଶିକ୍ଷା ପରିଷଦ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ପ୍ରଥମ ଦିନ ପରୀକ୍ଷାରେ ମାତୃଭାଷାରେ କପି କରି ୪୪ ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍ ରେ ଧରା ପଡିଥିଲେ।

{"id":227480,"sizeSlug":"large"}

ଆଜି ଇଂରାଜୀ ପରୀକ୍ଷା ଥିବାରୁ କପି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ତେଣୁ ଜିଲ୍ଲାସ୍ତରରେ ଗଠନ କରାଯାଇଥିବା ସ୍କ୍ବାଡ୍ ଗୁଡ଼ିକୁ ଅଧିକ ସୁଦୃଢ଼ କରିବାକୁ କୁହାଯାଇଛି । ସ୍କ୍ବାଡ୍ ରେ ସାମିଲ ହେବା ପାଇଁ ଚୟନ ହୋଇଥିବା ସଦସ୍ୟମାନେ ଯଦି ସାମିଲ ହେଉନାହାନ୍ତି , ତେବେ ସେମାନଙ୍କ ସ୍ଥାନରେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ନୂଆ ସଦସ୍ୟମାନଙ୍କୁ ସାମିଲ କରିବାକୁ ନିର୍ଦେଶ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ତିନିସ୍ତରରେ ଯାଞ୍ଚ କରିବାକୁ କୁହାଯାଇଛି। ମୁଖ୍ୟ ଫାଟକ ନିକଟରେ ପ୍ରଥମ ଯାଞ୍ଚ କରାଯିବ। ଏହାପରେ ପରୀକ୍ଷାର୍ଥୀ କେନ୍ଦ୍ରକୁ ପ୍ରବେଶ କରିବା ସମୟରେ ଆଉ ଥରେ ଯାଞ୍ଚ ହେବ। ପିଲାମାନେ ଶ୍ରେଣୀଗୃହରେ ବସିବା ପରେ ପରୀକ୍ଷା କେନ୍ଦ୍ର ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ସ୍କ୍ବାଡ୍ ର ସଦସ୍ୟମାନେ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରିବେ । ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଭଙ୍ଗାଯାଇଥିବା ନଜରକୁ ଆସିବ  ତେବେ ସମ୍ପୃକ୍ତ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ଧରାଯିବ।  କିଏ ଓ କେଉଁଥିପାଇଁ ସିସିଟିଭି ଭାଙ୍ଗିଛି, ସୁପରିଟେଣ୍ଡେଣ୍ଟଙ୍କ ଠାରୁ ରିପୋର୍ଟ ତଲବ ହେବ।

{"id":227481,"sizeSlug":"large"}

କେତେକ କେନ୍ଦ୍ରର ସମସ୍ତ ହଲ୍ ରେ ସିସିଟିଭି ଲଗାଯାଇପାରି ନାହିଁ। ଏଭଳି ସ୍ଥିତି ରେ ପରୀକ୍ଷାର୍ଥୀଙ୍କ ସିଟ୍  ପ୍ରତିଦିନ ପରିବର୍ତ୍ତନ କରିବାକୁ କୁହାଯାଇଛି। ଜଣେ ପିଲା ଯେମିତି ଗୋଟିଏ ସିଟ୍ ରେ ବସି ସବୁ ଦିନ ପରୀକ୍ଷା ନ ଦିଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଏଣିକି ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ବି ମୋବାଇଲ୍  ବାରଣ ହୋଇଛି। ସେମାନେ କୌଣସି ବି ପରିସ୍ଥିତିରେ ହଲ୍ ଭିତରକୁ, ପ୍ରଶ୍ନପତ୍ର ପ୍ୟାକେଟ୍  ଖୋଲାଯାଉଥିବା ରୁମ୍ କୁ ମୋବାଇଲ୍  ନେଇ ଯାଇପାରିବେ ନାହିଁ। ଯଦି କୌଣସି ପରୀକ୍ଷା କେନ୍ଦ୍ରର ଶିକ୍ଷକ, ସୁପରିଟେଣ୍ଡେଣ୍ଟ, ସୁପରଭାଇଜର କିମ୍ବା ସ୍କ୍ବାଡ୍  ସଦସ୍ୟ ଭାଇରାଲ୍  ପରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.