'ଦୁଇ ସ୍ପିନର ୫୯ ଓ୍ୱିକେଟ୍ ନେଇ ସମସ୍ୟା ସୃଷ୍ଟି କରିଥିଲେ, ପରାଜୟ କିଛିଦିନ ଯାଏଁ ଆଘାତ ଦେବ'- ଇଂଲଣ୍ଡ କୋଚ୍

Published By : Prameya-News7 Bureau | March 08, 2021 IST

ନୂଆଦିଲ୍ଲୀ,୦୮/୦୩:   ଆର ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ବୋଲିଂ ଇଂଲଣ୍ଡ ଖେଳାଳିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ଉଭୟ ବୋଲର ୫୯ ଓ୍ୱିକେଟ୍ ନେଇଥିଲେ । ଫଳରେ ଭାରତ ସିରିଜ ଜିତିବା ସହଜ ହେଲା ବୋଲି କହିଛନ୍ତି ଇଂଲଣ୍ଡ ଦଳର କୋଚ୍ କ୍ରିସ୍ ସିଲଭରଉଡ୍ । ଏହି ପରାଜୟ କିଛି ଦିନ ଯାଏଁ ଆଘାତ ଦେବ ବୋଲି ସେ କହିଛନ୍ତି ।  

ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଚେନ୍ନାଇ ପିଚରେ ବୃହତ ବିଜୟ ହାସଲ କରିଥିଲା । କିନ୍ତୁ ଏହାପରେ ଦଳ ଲଗାତର ତିନୋଟି ମ୍ୟାଚ୍ ହାରିଥିଲା । ଟର୍ଣ୍ଣିଂ ପିଚରେ ଅଶ୍ୱିନ ୩୨ ଓ ଅକ୍ଷର ୨୭ଟି ଓ୍ୱିକେଟ୍ ନେଇଥିଲେ । ଏପରିକି ଇଂଲିସ ବ୍ୟାଟସମ୍ୟାନଙ୍କୁ ଅକଳରେ ପକାଇଥିଲେ ।

ସିଲଭରଉଡ ଏକ ଭର୍ଚୁଆଲ ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ୪ଟି ଟେଷ୍ଟରେ ଭାରତୀୟ ସ୍ପିନର ୫୯ ଓ୍ୱିକେଟ୍ ନେଇଥିଲେ । ଭାରତୀୟ ସ୍ପିନର ମାନେ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେ ।  ଶେଷ ଦୁଇଟି ଟେଷ୍ଟର ପ୍ରଥମ ପାଳିରେ ହିଁ ରନ୍ ସଂଗ୍ରହ କରିବା କଷ୍ଟକର ହୋଇ ପଡିଥିଲା । ଯାହା ଦଳ ଉପରେ ଚାପ ସୃଷ୍ଟି କରିଥିଲା ।

ଇଂଲଣ୍ଡର ଅନେକ ପୂର୍ବତନ କ୍ରିକେଟର ପିଚକୁ ସମାଲୋଚନା କରିଥିଲେ । କିନ୍ତୁ ସିଲଭରଉଡ୍ କହିଥିଲେ ଯେ, ଭାରତ ଶେଷ ତିନୋଟି ଟେଷ୍ଟରେ ଇଂଲଣ୍ଡକୁ ସବୁ କ୍ଷେତ୍ରରେ ପଛରେ ପକାଇଥିଲା । ଏହାକୁ ସ୍ୱୀକାର କରିବାକୁ ହେବ । ଭାରତ ଘରୋଇ ପରିବେଶର ଫାଇଦା ନେଇଥିଲା । ଭାରତ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଥିଲେ ବି ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା । ଏହି ପରାଜୟ କିଛି ଦିନ ଯାଏଁ ଭୁଲି ହେବ ନାହିଁ । ଏଥିରୁ ଶିକ୍ଷାଲାଭ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.