ଭାରତ ଗସ୍ତ ପୂର୍ବରୁ ଦମ୍ ଦେଖାଇଲା ଇଂଲଣ୍ଡ, ଶ୍ରୀଲଙ୍କାକୁ ୨-୦ରେ ହରାଇ ହାତେଇଲା ସିରିଜ୍ : ଫେବୃୟାରୀ ୫ରୁ ଭାରତ-ଇଂଲଣ୍ଡ ଟେଷ୍ଟ୍
25/01/2021 at 7:31 PM

ନୂଆଦିଲ୍ଲୀ ୨୫/୦୧ : ଭାରତ ଗସ୍ତ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ଟିମ୍ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କା ଠାରୁ ୨-୦ରେ ସିରିଜ୍ ଛଡାଇ ଆଣିଛି । ଗଲରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନରେ ଶ୍ରୀଲଙ୍କାକୁ ୬ ଓ୍ବିକେଟ୍ରେ ହରାଇ ସିରିଜ୍ ହାତେଇଛି ଇଂଲଣ୍ଡ । ଶ୍ରୀଲଙ୍କା ବିପକ୍ଷ ସିରିଜ୍ର ମୁଖ୍ୟ ନାୟକ ହେଉଛନ୍ତି ଅଧିନାୟକ ଜୋ ରୁଟ୍ । ସେ ୨ଟି ଟେଷ୍ଟ୍ ମ୍ୟାଚ୍ରୁ ୧୦୬.୫୦ ହାରରେ ମୋଟ ୪୨୬ ରନ୍ କରିଛନ୍ତି । ଯେଉଁଥିରେ ଦୁଇଟି ଶତକ ସାମିଲ ଅଛି ।
ଭାରତ ଗସ୍ତ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ବିଜୟ ଇଂଲଣ୍ଡ ପାଇଁ ବହୁତ ବଡ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗଲ୍ରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍ ମ୍ୟାଚ୍ର ଚତୁର୍ଥ ଇନିଂସରେ ଇଂଲଣ୍ଡକୁ ଜିତିବା ପାଇଁ ୧୬୪ ରନ୍ ଆବଶ୍ୟକ ଥିଲା । ଏହି ଲକ୍ଷ୍ୟକୁ ୪ଓ୍ବିକେଟ୍ ହରାଇ ହାସଲ କରିନେଇଥିଲା ଇଂଲଣ୍ଡ ଟିମ୍ ।
ପ୍ରଥମ ଇନିଂସରେ ଶ୍ରୀଲଙ୍କା ୩୮୧ ରନ୍ କରିବା ପରେ ଇଂଲଣ୍ଡକୁ ପ୍ରଥମ ଇନିଂସରେ ୩୪୪ ରନ୍ରେ ଅଲଆଉଟ୍ କରିଦେଇଥିଲା । କିନ୍ତୁ ଦ୍ବିତୀୟ ଇନିଂରେ ଶ୍ରୀଲଙ୍କା କେବଳ ୧୨୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ସିଂହଳୀ ଖେଳାଳୀମାନେ ବେପରୁଆ ସଟ୍ ଖେଳି ଓ୍ବିକେଟ୍ ପରେ ଓ୍ବିକେଟ୍ ଦେଇଚାଲିଥିଲେ । ଇଂଲଣ୍ଡର ଦୁଇ ସ୍ପିନର ଜ୍ୟାକ୍ ଲିଚ୍ ଏବଂ ଡୋମ୍ ବେସ୍ ୪ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ଏହା ବାଦ ଅଧିନାୟକ ଜୋ ରୁଟ୍ ଲଗାତାର ୨ଟି ବଲରେ ଦୁଇଟି ଓ୍ବିକେଟ୍ ନେବା ଫଳରେ ଶ୍ରୀଲଙ୍କା ମାତ୍ର ୧୨୬ରନ୍ କରିବାକୁ ସକ୍ଷମ ହୋଇଥିଲା ।
ଶ୍ରୀଲଙ୍କା ପକ୍ଷରୁ ଲାସିଥ୍ ଏମ୍ବୁଲଦନିୟା ସର୍ବାଧିକ ୪୦ ରନ୍ କରିଥିଲେ । ସୁରଙ୍ଗା ଲାକମଲ୍ (୧୧ ଅପରାଜିତ)ଙ୍କ ସହ ମିଶି ଶେଷ ଓ୍ବିକେଟ୍ରେ ୪୮ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଶଲ ପେରେରା ୧୪ ରନ୍, ଳାହିରୁ ଥିରିମାନେ ୧୩, ରମେଶ ମେଣ୍ଡିସ୍ ୧୬, ସୁରଙ୍ଗା ଲାକମଲ୍ ୧୧ ରନ କରିଥିଲେ ।
ଦ୍ବିତୀୟ ଇନିଂସରେ ଇଂଲଣ୍ଡ ପକ୍ଷରୁ ଡୋମ୍ ସିବଲେ ସର୍ବାଧିକ ୫୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ୍ କ୍ରଲେ ୧୩, ଜୋନି ବୟାରେଷ୍ଟୋ ୨୯, ଜୋ ରୁଟ୍ ୧୧, ଡାନ୍ ଲୋରେନ୍ସ୍ ୨ ଏବଂ ଜୋସ୍ ବଟଲର୍ ୪୬ ରନ୍ କରିଥିଲେ ।
ଆସନ୍ତା ଫେବୃୟାରୀ ୫ ତାରିଖରୁ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏହି ଗସ୍ତରେ ଇଂଲଣ୍ଡ ଭାରତରେ ମୋଟ ୪ଟି ଟେଷ୍ଟ୍, ୫ଟି ଟି-ଟ୍ବେଣ୍ଟି ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ ।