ଘରେ ପଶି ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଜୀବନ୍ତ ଜାଳିଦେଲା ଯୁବକ

Published By : Prameya-News7 Bureau | April 04, 2019 IST

ତ୍ରିସୁର ୪/୪ : କେରଳର ତ୍ରିସୁରରେ ଘଟିଛି ଏକ ଲୋମ ହର୍ଷଣକାରୀ ଘଟଣା | ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଜୀବନ୍ତ ନିଆଁ ଲଗାଇଦେଇଛି ଜଣେ ଯୁବକ | ଅଭିଯୁକ୍ତ ଜଣକ ଛାତ୍ରୀଙ୍କ ଘରେ ପଶି ତାଙ୍କୁ ଜୀବନ୍ତ ନିଆଁ ଲଗାଇ ଦେଇଛି | ଯୁବତୀଙ୍କ ପାଟି ଶୁଣି ପଡୋଶୀ ଘର ଭିତରକୁ ଦୌଡ଼ି ଆସିଥିଲେ | କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା | ପଡୋଶୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |


ପୋଲିସ ସୂଚନା ଅନୁଯାୟୀ, ନୀତିଶ ନାମକ ୩୨ ବର୍ଷ ବୟସ୍କ ଯୁବକ ବହୁତ ଦିନ ହେଲା ଛାତ୍ରୀଙ୍କ ପିଛା କରୁଥିଲା | ଗତକାଲି ଅର୍ଥାତ ବୁଧବାର ଦିନ ଅଭିଯୁକ୍ତ ନୀତିଶ ଯୁବତୀଙ୍କ ପିଛା କରି କରି ତାଙ୍କ ଘର ପର୍ଯ୍ୟନ୍ତ ପହଂଚି ଯାଇଥିଲା | ନୀତିଶ ସିଧାସଳଖ ଯୁବତୀଙ୍କ ଘରେ ପଶି ତାଙ୍କୁ ଜୀବନ୍ତ ଜଳାଇ ଦେଇଥିଲା |


ଯୁବତୀଙ୍କ ଦେହରେ ନିଆଁ ଲଗାଇବା ପରେ ଯୁବତୀ ଜୀବନ ବିକଳରେ ପାଟି କରିଥିଲେ | ଯୁବତୀଙ୍କ ପାଟି ଶୁଣି ପାଖ ପଡୋଶୀ ଦୌଡ଼ି ଆସିଥିଲେ | ଖବରପାଇ ପାଖାପାଖି ଅଂଚଳରେ ରହୁଥିବା ଯୁବତୀଙ୍କ କିଛି ସମ୍ପର୍କୀୟ ମଧ୍ୟ ପହଂଚିଥିଲେ | ଯେତେବେଳେ ପଡୋଶୀ ଯୁବତୀଙ୍କ ଘରେ ପହଂଚିଥିଲେ ସେତେବେଳେ ଯୁବତୀ ବାଥରୁମ ଭିତରେ ଥିଲେ ଏବଂ ତାଙ୍କ ଦେହରେ ନିଆଁ ଲାଗିଥିଲା | କିନ୍ତୁ ପଡୋଶୀ ଲୋକେ ଯୁବତୀଙ୍କୁ ବଞ୍ଚାଇ ପାରିନଥିଲେ |


ଅଭିଯୁକ୍ତ ଯୁବକ ପଛପଟ କବାଟ ଦେଇ ଘରେ ପଶିଥିବା ନେଇ ସନ୍ଦେହ କରିଛନ୍ତି ସ୍ଥାନୀୟ ବିଧାୟକ | ତେବେ ଘଟଣା ବେଳେ ଘରେ ଯୁବତୀଙ୍କ ଜେଜେମା ଘରେ ଥିଲେ | ଏତିକିବେଳେ ମଉକା ଦେଖି ଅଭିଯୁକ୍ତ ଏହିଭଳି କାଣ୍ଡ ଘଟାଇଛି | ପୋଲିସ ଯୁବତୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.