ସ୍ତ୍ରୀ ଓ ୨ ଶିଶୁଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା କଲେ ଯୁବ ଇଞ୍ଜିନିୟର, ସୁଇସାଇଡ୍ ନୋଟ ଖୋଲିଲା ଗୁମର

Published By : Prameya-News7 Bureau | March 02, 2020 IST

ହାଇଦ୍ରାବାଦ, ୦୨ ମାର୍ଚ୍ଚ:  ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ସଫ୍ଟଓୟାର ଇଞ୍ଜିନିୟର ଭାବେ କାମ କରୁଥିବା ଜଣେ ୩୬ ବର୍ଷର ଯୁବକ ନିଜ ପତ୍ନୀଙ୍କ ସମେତ ୨ଜଣ ଶିଶୁଙ୍କୁ ବିଷ ଦେଇ ମାରିବା ପରେ ନିଜ ଆତ୍ମହତ୍ୟା କରିଛନ୍ତି। ହାଇଦ୍ରାବାଦର ହସ୍ତିନାପୁରମରେ ଏହି ଘଟଣାଘଟିଛି। ଏନେଇ ସୋମବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଏଲବି ନଗର ଥାନାଧିକାରୀ ଭି. ଅଶୋକ ରେଡ୍ଡି କହିଛନ୍ତି ଯେ, ନାଲଗୋଣ୍ଡା ଜିଲ୍ଲାର ଜଣେ ଯୁବକ ନିଜ ସ୍ତ୍ରୀ ଓ ଶିଶୁଙ୍କୁ ବିଷ ଦେଇ ମାରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛି। ଘର ଭିତରୁ ସେମାନଙ୍କ ମୃତଦେହ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଆତ୍ୟହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍ ନୋଟ ମଧ୍ୟ ଲେଖିଛି। ଯେଉଁଥିରେ ଏଲଆଇସିରୁ ୨୨ ଲକ୍ଷ ଟଙ୍କାର ଋଣ ନେଇଥିବା ଉଲ୍ଲେଖ ରହିଛି। ଆହୁରି ମଧ୍ୟ ସୁଇସାଇଡ୍ ନୋଟରେ ଲେଖାଯାଇଛି ଯେ, ସେ ଘର ବିକ୍ରି କରିବା ପାଇଁ ଚାହୁଁନତିଲେ। କିନ୍ତୁ ଋଣ ପରିଶୋଧ କରିବାକୁ ବାଧ୍ୟ କରାଯାଉଥିଲା। ଏତେ କମ ବୟସରେ ସେ ତାଙ୍କ ସ୍ତ୍ରୀ ଓ ଶିଶୁଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବାକୁ ଚାହୁଁନଥିଲେ। ଏହାସହ ତାଙ୍କୁ କ୍ଷମା କରିବା ପାଇଁ ମଧ୍ୟ ସେ ନୋଟରେ ଉଲ୍ଲେଖ କରିଛନ୍ତି।

ପୋଲିସ କହିଛି ଯେ, ମୃତ ମହିଳାଙ୍କ ଭାଇ ସତିଶ ମଧ୍ୟ ଜଣେ ସଫ୍ଟଓୟାର ଇଞ୍ଜିନିୟର। ୨୦୧୨ରେ ତାଙ୍କର ବିବାହ ହୋଇଥିଲା। ଆତ୍ମହତ୍ୟା କରିଥିବା ଇଞ୍ଜିନିୟରଜଣଙ୍କ ହସ୍ତିନାପୁରମରେ ଏକ ବିଲ୍ଡିଂ ନିର୍ମାଣ କରୁଥିଲେ। ତେବେ ସେ ନିଜେ ଏକ କମ୍ପାନୀ କରିବାକୁ ବିଭିନ୍ନ ସ୍ଥାନରୁ ଋଣ ନେଇଥିଲେ। ସତିଶ ସୋମବାର ମହିଳାଙ୍କ ଘରକୁ ଯାଇ କବାଟ ବାଡେଇଥିଲେ। କେହି ଉତ୍ତର ନଦେବାରୁ ସେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପଡୋଶୀଙ୍କ ସହାୟତାରେ ଘର ଭାଙ୍ଗି ଭିତରକୁ ପଶିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.