ପତ୍ନୀଙ୍କ ଶେଷ ଇଚ୍ଛା ପୁରା କରିବାକୁ ମହାକାଳ ମନ୍ଦିରରେ ୧୭ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଅର୍ପଣ କଲେ ଇଞ୍ଜିନିୟର

Published By : Prameya-News7 Bureau | October 25, 2021 IST

ଉଜ୍ଜେନ ୨୫/୧୦ : ଉଜ୍ଜେନ ମହାକାଲ ମନ୍ଦିରରେ ଭଗବାନଙ୍କ ଚରଣରେ ଜଣେ ଇଞ୍ଜିନିୟର ୧୭ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଅର୍ପଣ କରିଛନ୍ତି। ନିଜ ପତ୍ନୀଙ୍କ ଶେଷ ଇଚ୍ଛା ପୁରା କରିବାକୁ ଇଞ୍ଜିନିୟର ଜଣକ ଏହି କାମ କରିଛନ୍ତି। ମହାକାଳେଶ୍ଵର ମନ୍ଦିର କମିଟିର ସହାୟକ ପ୍ରଶାସକ ମୁଲଚନ୍ଦ ଜୁନଵଳ କହିଛନ୍ତି ଯେ ଝାରଖଣ୍ଡ ଵୋକରର ଇଞ୍ଜିନିୟର ସଞ୍ଜୀବ କୁମାର ନିଜ ମା' ସୁରଜ ପ୍ୟାରୀଙ୍କ ସହ ଯାଇ ମହାକାଳେଶ୍ଵର ମନ୍ଦିରରେ ନିଜ ସ୍ବର୍ଗୀୟ ପତ୍ନୀ ରଶ୍ମି ପ୍ରଭାଙ୍କର ୧୭ ଲକ୍ଷ ଟଙ୍କାର ଗହଣା ମନ୍ଦିର କମିଟିକୁ ହସ୍ତାନ୍ତର କରିଛନ୍ତି। ସଞ୍ଜୀବ କୁମାର ମନ୍ଦିର କମିଟିକୁ କହିଛନ୍ତି ଯେ ତାଙ୍କ ପତ୍ନୀ ମହାକାଳଙ୍କ ଭକ୍ତ ଥିଲେ। ସେ ପ୍ରତି ବର୍ଷ ଭଗବାନ ମହାକାଳଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଉଜ୍ଜେନ ଆସୁଥିଲେ। ରଶ୍ମି ପ୍ରଭା ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। ଅସୁସ୍ଥତାରେ ତାଙ୍କର ମୃତ୍ୟୁ ହୋଇଛି।

ରଶ୍ମି ନିଜ ଅନ୍ତିମ ଇଚ୍ଛା ଜାହିର କରି ସଞ୍ଜୀବଙ୍କୁ କହିଥିଲେ ଯେ ମହାକାଳଙ୍କ ଚରଣରେ ତାଙ୍କର ସବୁତକ ଗହଣା ଅର୍ପଣ କରିଦେବେ। ପତ୍ନୀଙ୍କ ଅନ୍ତିମ ଇଚ୍ଛାକୁ ସମ୍ମାନ ଦେଇ ସଞ୍ଜୀବ ୩୧୦ ଗ୍ରାମ ସୁନା ଗହଣା ମହାକାଳ ମନ୍ଦିରରେ ଅର୍ପଣ କରିଛନ୍ତି। ଏଥିରେ ସୁନା ହାର, ଚୁଡ଼ି, କଙ୍କଣ, କାନଫୁଲ, କୁଣ୍ଡଳ, ମୁଦି ଆଦି ସାମିଲ ଅଛି। ଏହି ସମୟରେ ଏଏସପି ଅମରେନ୍ଦ୍ର ସିଂହ, ସହାୟକ ପ୍ରଶାସକ ସୁଶ୍ରୀ ପୁର୍ଣିମା ସିଙ୍ଗି, ମୁଲଚନ୍ଦ ଜୁନବାଲ, ସହାୟକ ପ୍ରଶାସନିକ ଅଧିକାରୀ ଆରପି ଗହଲୋତ ଆଦି ଉପସ୍ଥିତ ଥିଲେ। 

ମହାକାଳ ମନ୍ଦିର କମିଟି ପ୍ରଶାସକ ଗଣେଶ କୁମାର ଧାକଡ କହିଛନ୍ତି ଯେ ଇଞ୍ଜିନିୟର ନିଜ ମା'ଙ୍କ ସହ ମନ୍ଦିର କାର୍ଯ୍ୟାଳୟକୁ ଆସିଥିଲେ। ତାଙ୍କୁ ପ୍ରସାଦ ଦିଆଯାଇଥିଲା। ସେ କହିଥିଲେ ଯେ ଗହଣା ଅର୍ପଣ କରିବା ପରେ ହିଁ ଅନ୍ନ, ଜଳ କିମ୍ବା ପ୍ରସାଦ ଗ୍ରହଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.