ଆସନ୍ତା ବର୍ଷ ଜୁଲାଇରେ ଖେଳାଯିବ ପଞ୍ଚମ ଟେଷ୍ଟ, ସିରିଜ୍‌ରେ ୨-୧ରେ ଅଗ୍ରଣୀ ରହିଛି ଭାରତ

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଲୀ ୨୨।୧୦: ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ପଞ୍ଚମ ଟେଷ୍ଟ ଆସନ୍ତା ବର୍ଷ  ଜୁଲାଇ ମାସରେ ଖେଳାଯିବ। ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ ଶୁକ୍ରବାର ଏହାର ସୂଚନା ଦେଇଛି। ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ଟେଷ୍ଟ ଆରମ୍ଭ ହେବାର କିଛି ସମୟ ପୂର୍ବରୁ କରୋନା କାରଣରୁ ସ୍ଥଗିତ କରିବାକୁ ପଡିଥିଲା। ଏହାକୁ ନେଇ ସଂଶୟ ଲାଗି ରହିଥିଲା ଯେ, ଇସିବି ଏହା ଉପରେ କେବେ ସ୍ଥିତି ସ୍ପଷ୍ଟ କରିବ।

ଇସିବି ଶୁକ୍ରବାର ଆନୁଷ୍ଠାନିକ ଭାବେ ଇଂଲଣ୍ଡ ଓ ଭାରତ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ୍‌ର ପୁନଃ କାର୍ଯ୍ୟସୂଚୀ ଜାରି କରିଛି। ଏହାର ଆୟୋଜନ ୨୦୨୨ ଜୁଲାଇ ମାସରେ ଖେଳାଯିବ। ଇସିବି ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ, ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍‌ରେ ଭାରତ କରୋନା ମହାମାରୀ କାରଣରୁ ନିଜ ଟିମ୍‌କୁ ମଇଦାନକୁ ଓହ୍ଲାଇ ପାରିନଥିଲା। ଏହି କାରଣରୁ ମ୍ୟାଚ୍ ସ୍ଥଗିତ ରଖିବାକୁ ପଡିଥିଲା। ହେଲେ ଏହାର ଆୟୋଜନ ୨୦୨୨ ଜୁଲାଇରେ ଏଜବାଷ୍ଟନରେ ହେବ।

wp:html /wp:html

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ଟେଷ୍ଟ ସିରିଜ୍ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଅଂଶ। ଦୁଇ ଦଳ ମଧ୍ୟରେ ଚଳିତ ବର୍ଷ ଅଗଷ୍ଟ ୪ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ୪ ଟେଷ୍ଟ ଖେଳାଯାଇଛି। ପ୍ରଥମ ମ୍ୟାଚ୍ ବର୍ଷା କାରଣରୁ ଡ୍ର ରହିଥିବା ବେଳେ ଭାରତ ଦ୍ଵିତୀୟ ଏବଂ ଚତୁର୍ଥ ଟେଷ୍ଟ ଜିତିଥିଲା। ଇଂଲଣ୍ଡ ତୃତୀୟ ଟେଷ୍ଟ ଜିତିବାରେ ସଫଳ ହୋଇଥିଲା। ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଭାରତ ୨-୧ରେ ଅଗ୍ରଣୀ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.