ଏନଫୋର୍ସମେଣ୍ଟ୍ ଟିମ୍ର ଚଢାଉ, ୧୦ ବାଲି ବୋଝେଇ ହାଇଓ୍ୱା ଜବତ
9/06/2020 at 6:07 PM

ସାଲେପୁର, ୦୯|୦୬: ସାଲେପୁର ତହସିଲ ଅନ୍ତର୍ଗତ ପୀରବଜାର ଗୁଜୁରପୁର ନିକଟରୁ ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରି ୧୦ ଟି ବାଲି ବୋଝେଇ ହାଇଓ୍ବା ଟ୍ରକ ଓ ୪ ଟି ମାଙ୍କଡା ପଥର ବୋଝେଇ ଟ୍ରକକୁ ଜବତ କରିଛି ।
ସୂଚନା ମୁତାବକ ଦୀର୍ଘଦିନ ଧରି ଉକ୍ତ ଅଞ୍ଚଳରେ ବାଲି ଓ ମାଙ୍କଡା ପଥର ଚୋରାଚାଲଣ ହେଉଥିଲା । ମଙ୍ଗଳବାର ବିଶେଷ ସୂତ୍ରରୁ ଖବର ପାଇଁ ଏସଟିଏଫର ଏକ ଟିମ ସକାଳୁ ସକାଳୁ ସାଲେପୁର ତହିସିଲ ଅଧିନସ୍ଥ ଗୁଜରପୁରରେ ଚଢାଉ କରିଥିଲେ । ଟିମ୍ ବେଆଇନ ଭାବେ ଚାଲିଥିବା ୧୪ଟି ବାଲି ଓ ମାଙ୍କଡା ପଥର ଟ୍ରକକୁ ଜବତ କରି ସାଲେପୁର ତହସିଲଦାରଙ୍କୁ ହସ୍ତଗତ କରିଛନ୍ତି ।
ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ଦେଓଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ଏନଫୋର୍ସମେଣ୍ଟ ଟିମର ଏକ ୭ ଜଣିଆ ଟିମ ଆସି ୧୪ ଟି ଗାଡିକୁ ଆମକୁ ହସ୍ତାନ୍ତର କରିଛନ୍ତି । ସମସ୍ତ ଗାଡି ଗୁଡିକୁ ସାଲେପୁର ତହସିଲ ଅଧିନସ୍ଥ ଭୈରପୁର,ଶିଶୁଆ,ଗୁଜରପୁର ଅଞ୍ଚଳରୁ ସିଜ୍ କରାଯାଇଛି। ସମସ୍ତ ଗାଡି ବେଆଇନ କି ନୁହେଁ ଜଣାପଡିନାହିଁ ଯାଞ୍ଚ କରାଯାଉଛି । ଯାଞ୍ଚପରେ କେଉଁ ଗାଡି କେଉଁ କାଟାଗୋରିରେ ଯାଉଛି ସେହି ଅନୁସାରେ ଫାଇନ୍ କରାଯିବ । ସଂଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।