Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତକୁ ଶତ୍ରୁ କରିବାର ମୂଲ୍ୟ ଏବେ ଚୀନକୁ ପଡିବ ମହଙ୍ଗା ! ବେଜିଂର ସୁପରପାୱର ନିଶା ଚୁର୍

22/06/2020 at 3:57 PM

ନୂଆଦିଲ୍ଲୀ ୨୨।୬: ପୂର୍ବ ଲଦ୍ଦାଖ ସୀମାରେ ଜୁନ ୧୫ତାରିଖ ରାତିରେ ଘଟିଥିଲା ଅଭାନୀୟ ଘଟଣା। ସ୍ଥାୟୀ ନିର୍ମାଣ ହଟାଇବାକୁ ପ୍ରତିଶ୍ରୁତି ଦେଇ ମଧ୍ୟ ପ୍ରତିପକ୍ଷ ଚୀନ ପାଳନ କରିନଥିଲା। ଏ  ସମ୍ପର୍କରେ ପଚାରିବାକୁ ଯାଇଥିବା ନିରସ୍ତ୍ର କର୍ଣ୍ଣେଲ ଓ ସୈନିକଙ୍କୁ ଚୀନ ସୈନିକ କଣ୍ଟାବାଡି ଓ ଅନ୍ୟ ଅସ୍ତରଶସ୍ତ୍ରରେ ଆକ୍ରମଣ କରିବା ସହ ଟେକାପଥର ମାଡ କରିଥିଲେ। ଫଳରେ ଚୀନ୍ ସୈନିକଙ୍କ ମୁକାବିଲା କରି ୨୦ ଜଣ ଭାରତୀୟ ଜବାନ ଶହିଦ ହେବା କ୍ରମଶଃ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲିଟିବାରେ ଲାଗିଛି। ଘଟଣା ପରେ ଚୀନ୍‌କୁ ନେଇ ଭାରତ ନିଜର ନୀତିରେ ପରିବର୍ତ୍ତନ କରିବା ସହ ଯୁଦ୍ଧପ୍ରସ୍ତୁତି ଆରମ୍ଭ କରିଛି। ଏଥିରେ ଭାରତ ଭଳି ପଡୋଶୀକୁ ଶତ୍ରୁ କରିବାର ମୂଲ୍ୟ ଚୀନ୍ ଦେଇ ପାରିବକି ? ତାହା ଏବେ ସମୟର ସବୁଠୁ ବଡ ପ୍ରଶ୍ନ ପାଲଟିଛି। ତେବେ ଆସନ୍ତୁ ଜାଣିବା ଏ ନେଇ କ’ଣ କହୁଛନ୍ତି ଅନ୍ତର୍ଜାତୀୟ ବିଶେଷଜ୍ଞ।

କରୋନା ଭାଇରସ ମହାମାରୀ ସଂକ୍ରମଣ ଚୀନ୍‌କୁ ଗୁରୁତର ସଂକଟ ମଧ୍ୟକୁ ଠେଲି ଦେଇଛି। ଭୂତାଣୁ ସଂକ୍ରମଣର ସୂଚନା ଚୀନ୍ କମ୍ୟୁନିଷ୍ଟ ପାର୍ଟି  (ସିସିପି) ସରକାର ଲୁଚାଇବା ଏବେ ସମଗ୍ର ବିଶ୍ୱକୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଏଣୁ ୧୯୭୦ ମସିହାରେ ଯୁକ୍ତ ରାଷ୍ଟ୍ର ସହ ସ୍ଥାପିତ ଚୀନ୍‌ର ରାଜନୈତିକ ଓ କୂଟନୈତିକ ସମ୍ପର୍କ ଏବେ ମାତ୍ର କିଛି ବିନ୍ଦୁରେ ଝୁଲି ରହିଛି। ଏଥିରେ ସଂକ୍ରମଣର ତଦନ୍ତ ଦାବି କରିବା ଯୋଗୁ ଅଷ୍ଟ୍ରେଲିଆ ସହ ଚୀନ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିବା ବେଳେ ପ୍ରଦ୍ୟୋଗିକ ଦିଗ୍ଗଜ ହୁଏୱିର କାର୍ଯ୍ୟନିର୍ବାହୀଙ୍କୁ ଦେଶରୁ ବହିଷ୍କାର କରି କାନାଡା ସହ ମୁହାଁ ମୁହିଁ ହୋଇଛି। କେବଳ ଏତିକି ନୁହେଁ ହଙ୍ଗକଙ୍ଗରେ ବିଦ୍ରୋହ  ଦମନ ଲାଗି ବେଜିଂ ଲାଗୁ କରିଥିବା ଆଇନ ଏବେ ଅନ୍ତର୍ଜତୀୟ ଆକ୍ରୋଶର କାରଣ ପାଲଟିଛି। ଭାରତୀୟ ସୀମାରେ ଆକ୍ରୋଶ ଏହି ସବୁ ଘରୋଇ ଚାପର ପ୍ରତିକ୍ରିୟା ବୋଲି ଏବେ ବିଶ୍ଲେଷକମାନେ ଅନୁଭବ କରୁଛନ୍ତି।

ରାଷ୍ଟ୍ରପତି ସି ଜିନପିଙ୍ଗ ଗୋଟିଏ ବି ସମସ୍ୟାର ସମାଧାନ କରିପାରୁନାହାନ୍ତି। ଏଥିରେ ନୂଆ ନୂଆ ସମସ୍ୟାରେ ଘେରିବାରେ ଲାଗିଛନ୍ତି। ଦେଶରେ ଜିନପିଙ୍ଗଙ୍କୁ ଏବେ ଏପରି ଜଣେ ନେତା ଭାବେ ଦେଖାଯାଉଛି ଯିଏ ଅର୍ଥନୀତିକୁ ସଜାଡି ପାରୁନଥିବା ବେଳେ ସାର୍ବଭୌମତା ପ୍ରସଙ୍ଗରେ ପଡୋଶୀଙ୍କ ନଜରରେ ଦୁର୍ବଳ ନହେବା ଲାଗି ବିବାଦ କରିବସିଛନ୍ତି। ଏଣୁ ଜିନପିଙ୍ଗ ଅନୁଭବ କରୁଥିବା ଚାପର ହୁଏତ ଏହା ଏକ ପ୍ରତିଫଳନ ବୋଲି କହିଛନ୍ତି ମାସାଚୁସେଟ୍‌ସ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜିର ସୁରକ୍ଷା ଷ୍ଟଡି ପ୍ରୋଗ୍ରାମ ନିର୍ଦ୍ଦେଶକ ଟେଲର ଫ୍ରାଭେଲ।

ସେ କହିଛନ୍ତି ଯେ କୋଭିଡ୍ ଓ ଏଥିଯୋଗୁ ଅନ୍ତର୍ଜାତୀୟ ସମୂଦାୟରେ ହେଉଥିବା ସମାଲୋଚନା, ଦେଶର ଅର୍ଥ ବ୍ୟବସ୍ଥାର ଅବନତୀ ଓ ଆମେରିକା ସହ ବିଗୁଡୁଥିବା ସମ୍ପର୍କ ଲାଗି ଚୀନ ଏବେ ପଡୋଶୀଙ୍କ ସହ ସୀମାରେ ଉତ୍ତେଜନା ସୃଷ୍ଟି କରୁଛି। ତେବେ ଉପୁଜିଥିବା ପରିସ୍ଥିତିରେ ଚୀନ୍ ଲାଗି ପଡୋଶୀଙ୍କ ସହ ଏବେ ସମ୍ପର୍କ ଖରାପ କରିବାର ଏହା ସ୍ପଷ୍ଟ ସମୟ ନୁହେଁ ବୋଲି ଟେଲର କହିଛନ୍ତି। ତେବେ ଅନ୍ୟମାନଙ୍କ ନଜରରେ ଚୀନ୍‌ ଅଧିକ ଅବସରବାଦୀ ଓ ଗତ ଦଶନ୍ଧୀରୁ ସରକାର ଉଗ୍ର ରାଷ୍ଟ୍ରବାଦ ସହ ଆର୍ଥିକ ଓ ବୈଶ୍ୱିକ ସ୍ତରରେ ନିଜ ବୈଦେଶିକ ନୀତିର ସ୍ଥିରତା ସଂରକ୍ଷଣ ଲାଗି ଧ୍ୟାନ କେନ୍ଦ୍ରିତ କରୁଥିବା ଏକ ଦେଶ ଭାବେ ଉଭା ହୋଇଛି।  ଯେଉଁଥିପାଇଁ  ବିଶ୍ୱର କୌଣସି ଦେଶ ଏବେ ଚୀନ୍‌କୁ ଗ୍ରହଣ କରିବାକୁ ରାଜି ହେଉ ନଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୁହଁନ୍ତି।  ହୁଏତ ଏଥିଲାଗି  ମୋଦିଙ୍କୁ ରାଜନୈତିକ ମୂଲ୍ୟ ଦେବାକୁ ପଡିପାରେ, କିନ୍ତୁ ଚୀନ୍‌ ସହ ଆଉ ନୁହେଁ ବୋଲି ସେ ତାଙ୍କ ଟେଲିଭିଜନ ଭାଷଣରେ ସ୍ପଷ୍ଟ ଭାବେ କହିଛନ୍ତି।

ସେପଟେ ମିଆମି ବିଶ୍ୱବିଦ୍ୟାଳୟର ପଲିଟିକାଲ ସାଇନ୍ସ ପ୍ରଫେସର ଜୁନ୍‌ ଡ୍ରେୟର କହିଛନ୍ତି ଯେ ହୁଏତ ଚୀନର ଅର୍ଥନୀତି ଭାରତର ୫ ଗୁଣା ହୋଇପାରେ, ପ୍ରତିରକ୍ଷା ବଜେଟ୍ ୧୦୦ ବିଲିୟନ ଡଲାରରୁ ବି ଅଧିକ,  ହେଲେ ଏବେ ଭାରତ ରାସ୍ତାଘାଟରେ ଚୀନ ସାମଗ୍ରୀ ବର୍ଜନ ଲାଗି ହେଉଥିବା ଆନ୍ଦୋଳନକୁ ଦେଖିଲେ ଯୁଦ୍ଧ ଜନିତ କ୍ଷତିରୁ ବି ନିଶ୍ଚିତ ଅଧିକ ହେବ। ଏପରିକି କ୍ଷତି ଆଣବିକ ଆକ୍ରମଣର କ୍ଷତିକୁ ବି ବଳେଇଯିବ ବୋଲି ସେ ଆଶଙ୍କା କରିଛନ୍ତି। ତେବେ ଏହି ସଂକଟରୁ ଆମକୁ ଯାହା ଶିକ୍ଷା ମିଳିଛି ତାହା ହେଉଛି ଚୀନ୍‌ର ଭାରତ ବୁଝାମଣା ଅତ୍ୟନ୍ତ ଖରାପ ବୋଲି କହିଛନ୍ତି କାର୍ଣ୍ଣେଜ୍ ଏଣ୍ଡ୍ୱାମେଣ୍ଟ ଫର ଇଣ୍ଟରନ୍ୟାସନାଲ ପିସର ବରିଷ୍ଠ ସଦସ୍ୟ ଆସ୍ଲେ ଟେଲିସ୍‌। ଭାରତକୁ ନେଇ ଚୀନ ଜାହା ଜାଣେ ବା ବୁଝେ ହୁଏତ ଏହା ତାର ଜ୍ଞାନଗତ ବିବିଧତା ବୋଲି ସେ କହିଛନ୍ତି।

ଉପୁଜିଥିବା ପରିସ୍ଥିତିରେ ଚୀନ୍ ସହ  ଭାରତ ସମସ୍ତ ଚୁକ୍ତି ବାତିଲ କରିଥିବା ବେଳେ ଯୁଦ୍ଧ ହେଲେ ମୃତାହତଙ୍କୁ ନେଇ ଭାରତୀୟ ନେତା ଓ ଜନତାଙ୍କ ମନଭାବ ଏବେ ପୂର୍ବାପେକ୍ଷା ଅଧିକ କଠୋର ହେବ। ହୁଏତ ଏହା ଦୀର୍ଘସ୍ଥାୟୀ ହୋଇପାରେ। ଯାହା ଚୀନକୁ  ଉଭୟ ଆର୍ଥିକ ଓ କୂଟନୈତିକ ସ୍ତରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ କରିବ । ସେହିପରି ଚୀନ୍‌କୁ ଏପର୍ଯ୍ୟନ୍ତ ଏକ ଅବସର ଭାବୁଥିବା ଭାରତୀୟଙ୍କ ଆଉ ଏକ ପୀଢିକୁ ମଧ୍ୟ ଏବେ ଚୀନ୍‌ ହରାଇବ। କାରଣ ସେମାନେ ହୁଏତ ଆଉଥରେ ଚୀନକୁ ବିଶ୍ୱାସକୁ ନେଇ ନ ପାରନ୍ତି ବୋଲି କହିଛନ୍ତି ୱାସିଂଟନ ବ୍ରୁକିଙ୍ଗସ୍ ପ୍ରତିଷ୍ଠାନର ଭାରତୀୟ ପ୍ରକଳ୍ପ ନିର୍ଦ୍ଦେଶକ ତନଭୀ ମଦନ। ଏଣୁ ଭାରତ ସହ ହାତାହାତି ଏବେ ଚୀନ୍‌କୁ ଭାରି ପଡୁଥିବା ସ୍ପଷ୍ଟ ହୋଇଯାଇଛି।  

   Related Posts