Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିପଦରେ ଜୀବଜନ୍ତୁ: ବନ ବିଭାଗର ତନାଘନା ସହ ୨ଟି ବନ୍ଧୁକ ଜବତ

26/05/2020 at 9:39 PM

ନୀଳଗିରି୨୬/୫: ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟରେ ଏବେ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ପଡିଛି। ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି କୂଳଡିହା ବନବିଭାଗ ଆଜି ସୀମାନ୍ତରେ ଥିବା ଗାଁ ତଥା ଜଙ୍ଗଲରେ ଛାପା ମାରି ଦୁଇଟି ବନ୍ଧୁକ ଜବତ କରିଛି। ୨୭୨.୭୫ ବର୍ଗ କିଲୋମିଟର କୁଳଡିହା ଅଭୟାରଣ୍ୟରେ ବାଘ, ଭାଲୁ, ହାତୀ, ବାରାହା, ହରିଣ,ସମ୍ବର,ଗୟଳ,ଝିଙ୍କ,ଠେକୁଆ,ବେଲୋରା ମୂଷା ସମେତ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ରହିଛି। ଖରା ଦିନେ ଅଭୟାରଣ୍ୟରେ ଜଳ ସଙ୍କଟ ଦେଖା ଦେଉଥିବା ବେଳେ ବନ୍ୟଜନ୍ତୁ ପାଖ ଖୋମକୁଟ, ଋଷିଆ, ସାତଘାଟି ଡ୍ୟାମ ସମେତ ଅଭୟାରଣ୍ୟ ସୀମାନ୍ତ ଗାଁରେ ଥିବା ପୋଖରୀକୁ ପାଣି ପିଇବାକୁ ଆସିଥାନ୍ତି।

ଏହି ସୁଯୋଗରେ ଶିକାରୀ ମାନେ ଫାଶ ବସାଇବା ସହ ବନ୍ଧୁକ ଓ ମାରଣାସ୍ତ୍ରରେ ବନ୍ୟଜନ୍ତୁ ଶିକାର କରିଥାନ୍ତି। କିଛିଦିନ ପୂର୍ବରୁ ଶିକାରୀ ଗିରଫ ହେବାର ନଜିର ଥିବାବେଳେ ଶିକାରୀ କିପରି ଅବାଧରେ ଶିକାର ନ କରିବେ ଏନେଇ ପେଟ୍ରୋଲିଂ କଡାକଡି କରାଯାଇଛି। ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦେଶରେ କୂଳଡିହା ରେଞ୍ଜର ବିଜୟ କୁମାର ମହପାତ୍ରଙ୍କ ନେତୃତ୍ୱରେ ଏକ ଟିମ ସିଆଡିମାଳ ପଂଚାୟତର ବିଭିନ୍ନ ସୀମାନ୍ତ ଗାଁ ଗୁଡିକରେ ଯାଞ୍ଚ କରିଛନ୍ତି। ନୂଆସାହି ଗ୍ରାମର ବୁଦ୍ଧିଆ ସିଂ ଙ୍କ ପାଇଖାନା ଘରୁ ଏକ ବନ୍ଧୁକ ଜବତ ହୋଇଥିବାବେଳେ ବାଙ୍କୀଶୂଳ ଗାଁର ସନିଆ ସିଂଙ୍କ ଚାଲିଆରୁ ଗୋଟିଏ ବନ୍ଧୁକ ଜବତ ହୋଇଛି।ଉଭୟ ଫ୍ରରାର ଥିବା ଜଣାପଡିଛି।ଏହି ଚଢ଼ାଉରେ ଫରେଷ୍ଟର ନରେଶ ସିଂ, ପରମାନନ୍ଦ ନାୟକ,ରାମେଶ୍ଵର ମୁର୍ମୁ,ସିଂରାଏ ହେମ୍ରମ ସମେତ ଫରେଷ୍ଟଗାର୍ଡ ଓ ସବୁଜ ବାହିନୀ ସାମିଲ ଥିଲେ।

   Related Posts