IT କର୍ମଚାରୀଙ୍କ ପାଇଁ ଶେଷ ହେବାକୁ ଯାଉଛି ଓ୍ବାର୍କ ଫ୍ରମ୍‌ ହୋମ୍‌ ! ଅଫିସ ଆସି କାମ କରିବାକୁ ଯୋଜନା କରୁଛି ଅଗ୍ରଣୀ ସପ୍ଟଓ୍ବେୟାର କମ୍ପାନୀ TCS

Published By : Prameya-News7 Bureau | September 06, 2021 IST

ବେଙ୍ଗାଲୁରୁ ୦୬/୦୯ : ଦେଶରେ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ପ୍ରତିଦିନ ଆସୁଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କମୁଛି । ଏହାରି ମଧ୍ୟରେ IT ସେକ୍ଟରରେ କାମ କରୁଥିବା କର୍ମଚାରୀମାନଙ୍କ ଓ୍ବାର୍କ ଫ୍ରମ୍‌ ହୋମ୍‌ ଅବଧି ଶେଷ ହେବାକୁ ଯାଉଛି ।

ଏହାରି ମଧ୍ୟରେ ଦେଶର ଅନ୍ୟତମ ଅଗ୍ରଣୀ IT କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ୍‌ (TCS) ତାର କର୍ମଚାରୀମାନଙ୍କୁ ୨୦୨୧ ଶେଷ ସୁଦ୍ଧା ଅଫିସ ଆସି କାମ କରିବା ପାଇଁ ନିର୍ଦେଶ ଦେବ । ଏ ନେଇ ଇକୋନୋମିକ୍‌ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି । ପ୍ରାୟ ୫ ଲକ୍ଷ କର୍ମଚାରୀଙ୍କୁ ପୁଣି ଅଫିସ ଆସି କାମକରିବା ପାଇଁ କହିବ କମ୍ପାନୀ ।

TCSର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ ଗୋପୀନାଥନ୍‌ କହିଛନ୍ତି, ’୭୦ ରୁ ୮୦ ପ୍ରତିଶତ କର୍ମଚାରୀଙ୍କୁ ଅଫିସ ଆସି କାମକରିବାକୁ ଯୋଜନା କରୁଛି କମ୍ପାନୀ । ୨୦୨୧ ଶେଷ ସୁଦ୍ଧା ଏହି ଲକ୍ଷ୍ୟ ରଖିଛି କମ୍ପାନୀ । ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଥିବାରୁ କମ୍ପାନୀ ପକ୍ଷରୁ ଏହା ଉପରେ ଦୃଷ୍ଟି ଦିଆଯାଉଛି ।’

ତେବେ TCS ଏଭଳି ଘୋଷଣା କରିବା ପରେ ବର୍ତ୍ତମାନ ଅନ୍ୟ IT କମ୍ପାନୀ ଯେଉଁମାନେ କି ନିଜ କର୍ମଚାରୀମାନଙ୍କୁ ଓ୍ବାର୍କ୍‌ ଫ୍ରମ୍‌ ହୋମ୍ ସୁବିଧା ଦେଉଥିଲେ ସେମାନଙ୍କୁ ଅଫିସରେ ଯୋଗଦେବା ପାଇଁ କହିପାରନ୍ତି । କରୋନାର ପ୍ରଥମ ଲହର ଆରମ୍ଭ ହେବା ପରଠାରୁ ହିଁ ବିଭନ୍ନ ଆଇଟି କମ୍ପାନୀ ସେମାନଙ୍କର କର୍ମଚାରୀମାନଙ୍କ ପାଇଁ ଘରେ ରହି କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଟିସିଏସ୍‌ ହିଁ ଏହି ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହାପରେ ପରେ ଅନ୍ୟ କମ୍ପାନୀମାନେ ମଧ୍ୟ ସମାନ ପନ୍ଥା ଆପଣାଇଥିଲେ ।

ଅଭିବୃଦ୍ଧି ଭାବେ ଦେଖିବାକୁ ଗଲେ ଟିସିଏସ୍‌ ଠାରୁ ଇନଫୋସିସ୍‌ ଅଧିକ ରହିଛି । ଦେଶର ପ୍ରାୟ ୧୫୦ ବିଲିୟନ ଡଲାରର ସପ୍ଟ​‌ଓ୍ବେୟର କାରବାର ମଧ୍ୟରୁ କେବଳ ଟିସିଏସ୍‌ର କେବଳ ୧୫ ପ୍ରତିଶତ ସେୟାର ରହିଛି । ସେହିଭଳି TCSର କର୍ମଚାରୀଙ୍କ କଥା କହିବାକୁ ଗଲେ ଦେଶର ମୋଟ ୪.୬ ମିଲିୟନ ଆଇଟି କର୍ମଚାରୀଙ୍କ ମଧ୍ୟରୁ ଏହି କମ୍ପାନୀର କେବଳ ୧୦ ପ୍ରତିଶତ ରହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.