ରାଜଧାନୀରେ ପୁଣି ଏନକାଉଣ୍ଟର, କବି ଓ ହରି ପରେ ଧରାପଡିଲା ଖଣ୍ଡଗିରି ପୋଲିସର ମୋଷ୍ଟ ୱାଣ୍ଟେଡ ରବି ରାଓ
4/08/2019 at 10:46 PM

ଭୁବନେଶ୍ୱର ୪।୮: ରାଜଧାନୀରେ ଶନିବାର ଓ ରବିବାର ଦୁଇ ଦିନରେ ପୋଲିସ ୩ ଟି ପୃଥକ ପୃଥକ ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଧଉଳି ଥାନା ବାପୁଜୀ ହାଇଟସ୍ ରେ ଆତ୍ମଗୋପନ କରିଥିବା ୨ ଅପରାଧୀ ସିଲୁ ଓରଫ ସିପୁନ କୁମାର ଓରଫ କବି ଏବଂ ହରି ଏବଂ ହରେକୃଷ୍ଣ ସ୍ୱାଇଁକୁ ଚିଲି ପୋଖରୀ ଅଞ୍ଚଳରେ ଏନକାଉଣ୍ଚର କରି ଗିରଫ କରିଥିବା ବେଳେ ରବିବାର ସନ୍ଧ୍ୟାରେ ଖଣ୍ଡଗିରି ଥାନା ପୋଲିସ ଭରତପୁର ଅଞ୍ଚଳରେ ଆଉ ଗୋଟିଏ ଏନକାଉଣ୍ଟର କରିଛି। ଏଥିରେ ମୋଷ୍ଟ ୱାଣ୍ଟେଡ ଅପରାଧୀ ରବି ରାଓକୁ ପୋଲିସ ଗିରଫ କରିଥିବା ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି। ଫଳରେ ରାଜଧାନୀରେ ଗତ ୨୪ ଘଣ୍ଟାରେ ପୋଲିସ ୩ଟି ଏନକାଉଣ୍ଟର କରି ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି।

ରବି ରାଓ ଏକ ଟୟୋଟା ଫରଚ୍ୟୁନରରେ ଯାଉଥିବା ବେଳେ ପୋଲିସ ତା ପିଛା କରି ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ପୋଲିସକୁ ଚକମା ଦେଇ ଖସି ପଳାଇବାକ ଉଦ୍ୟମ କରିବା ବେଳେ ପୋଲିସ ଗୁଳି ଚଳାଇବାରୁ ରବି ଗୋଡରେ ବାଜି ଆହତ ହୋଇଥିଲା। ଫଳରେ ପୋଲିସ ହାତରେ ଧରାପଡିଥିବା ବେଳେ ତା କାରରୁ ଖଣ୍ଡା ଓ ବୋମା ମିଳିଛି। ରବି ରାଜଧାନୀରେ ହେଉଥିବା ସିରିଜ ଲୁଟର ମାଷ୍ଟରମାଇଣ୍ଡ ଥିବା ବେଳେ ଖଣ୍ଡଗିରି ପୋଲିସର ମୋଷ୍ଟ ୱାଣ୍ଟେଡ ଅପରାଧୀ ଥିଲା ବୋଲି ଡିସିପି କହିଛନ୍ତି।