ଦାନ୍ତେଓ୍ଵାଡାରେ ମାଓ-ପୋଲିସ ଗୁଳି ବିନିମୟ: ୩ ମହିଳା ମାଓବାଦୀ ମୃତ, ମୁଣ୍ଡ ଉପରେ ଥିଲା ୫-୫ ଲକ୍ଷ ପୁରସ୍କାର ରାଶି

Published By : Prameya-News7 Bureau | October 31, 2021 IST

ରାୟପୁର ୩୧।୧୦: ଛତିଶଗଡର ନକ୍ସଲ ପ୍ରଭାବିତ ଦାନ୍ତେଓ୍ଵାଡାରେ ରବିବାର ମାଓ ଓ ପୋଲିସ ମଧ୍ୟରେ ଗୁଳି ବିନିମୟରେ ତିନି ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତିନି ଜଣଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଦାନ୍ତେଓ୍ଵାଡା ଏସପି ଅଭିଷେକ ପଲ୍ଲଭ କହିଛନ୍ତି, ପୋଲିସ ସହ ଗୁଳି ବିନିମୟ ପରେ ମହିଳା ମାଓବାଦୀଙ୍କ ମୃତଦେହ ଜବତ ହୋଇଛି। ଏହି ଗୁଳି ବିନିମୟ ଅଦଓ୍ଵାଲ ଓ କୁଞ୍ଜେରାସ ଜଙ୍ଗଲରେ ସନ୍ଧ୍ୟାରେ ଘଟିଛି।

ଦନ୍ତେଓ୍ଵାଡା ଏସପି କହିଛନ୍ତି, ଯବାନଙ୍କ ତଲାସି ଅଭିଯାନ ସମୟରେ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ କାତକଲ୍ୟାଣ ଥାନା ଅନ୍ତର୍ଗତ ଅଦଓ୍ଵାଲ ଓ କୁଞ୍ଜେରାତ ଗାଁ ମଧ୍ୟରେ ଥିବା ସଂରକ୍ଷିତ ଜଙ୍ଗଲରେ ଗୁଳି ବିନିମୟ ଘଟିଥିଲା। ଏହା ପରେ ଘଟଣାସ୍ଥଳରୁ ୩ ଜଣ ମହିଳା ମାଓବାଦୀଙ୍କ ମୃତଦେହ ମିଳିଛି। ତିନି ଜଣଙ୍କ ନାମ ରାଜେ ମୁଚକି, ଗୀତା ମରକାମ ଓ ଜ୍ୟୋତି ଓରଫ ଭୀମେ ନୁପ୍ପୋ। ତିନି ଜଣ କାତେକଲ୍ୟାଣ ଏରିଆ କମିଟି ଅଫ ମାଓଇଷ୍ଟର ସକ୍ରିୟ ସଦସ୍ୟ ଥିଲେ। ତିନି ଜଣଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଘଟଣାସ୍ଥଳରୁ ୧୨ ବସ୍ତା ବନ୍ଧୁକ, ଦୁଇ ଦେଶୀ ରିଭଲବଲ, ଦୁଇଟି ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ ଡିଭାଇସ୍(ଆଇଇଡି), ତାର, ଔଷଧ, ମାଓବାଦୀ ସାହିତ୍ୟ ଓ ଦୈନନ୍ଦନୀ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.