ମସ୍ତିଷ୍ମ ଜ୍ବର: ୧୮ ଦିନରେ ୧୦୮ ଶିଶୁଙ୍କ ମୃତ୍ୟୁ ଏବଂ ୩୦୦ ଆକ୍ରାନ୍ତ, ପରିସ୍ଥିତି ପରଖିବା ପାଇଁ ହସ୍ପିଟାଲରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ
18/06/2019 at 6:12 PM

ମୁଜାଫରପୁର୧୭|୬: ବିହାରରେ ଆକ୍ୟୁଟ ଏନସେଫାଲାଇଟିସ୍ ସିଣ୍ଡ୍ରୋମ ବା ମସ୍ତିଷ୍ମ ଜ୍ବରରେ ଏପର୍ଯ୍ୟନ୍ତ ୧୦୮ ଶିଶୁଙ୍କ ମୃତ୍ୟୁ ହେଲାଣି। ମୁଜାଫରର ପୁରରେ ଗତ ୧୮ ଦିନ ଧରି ଶିଶୁଙ୍କ ମୃତ୍ୟୁ ଲାଗି ରହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନିତୀଶ କୁମାର ହସ୍ପିଟାଲକୁ ଯାଇଥିଲେ। ତେବେ ସେଠାରେ ତାଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଏହି ଶିଶୁ ମଡ଼କ ପାଇଁ ଏବେବି ସରକାର କନଫ୍ୟୁଜ୍ଡ ଅଛନ୍ତି।

୧୮ ଦିନ ଲାଗିଗଲା। ୧୦୮ ଶିଶୁଙ୍କ ମୃତ୍ୟୁ ପରେ ଏବେ ନୀତିଶଙ୍କ ମନେ ପଡ଼ିଲା। ଆଉ ଏହି ଡେରିପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସିଧା ମୁକାବିଲା କରିଛନ୍ତି ଲୋକେ ଓ ଶିଶୁଙ୍କ ସଂପର୍କିୟମାନେ। ଗୋ ବ୍ୟାକ୍ ଗୋବ୍ୟାକ ନାରା ଦେଇ ନୀତିଶଙ୍କୁ ଗସ୍ତକୁ ପ୍ରତିବାଦ କରିଛନ୍ତି । ରାଜଧାନୀ ପାଟନା ଠାରୁ ମାତ୍ର ୭୫ କିଲୋମିଟର ଦୂର ମୁଜାଫର ପୁର ହସ୍ପିଟାଲରେ ଜଣଙ୍କ ପରେ ଜଣେ ଶିଶୁ ମୃତ୍ୟୁ ସାରା ଦେଶକୁ ଦୋହଲାଇଦେଇଛି। ଆକ୍ୟୁଟ ଏନସେଫାଲାଇଟିସ୍ ସିଣ୍ଡ୍ରୋମ ବା ମସ୍ତିଷ୍ମ ଜ୍ବରରେ ଏପର୍ଯ୍ୟନ୍ତ ୧୦୮ ଶିଶୁ ପ୍ରାଣ ହରାଇଲେଣି। କେବଳ ଶ୍ରୀକ୍ରିଷ୍ଣା ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ୮୫ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ସେଠାରେ ୩ଶହ ଶିଶୁ ଚିକିତ୍ସାଧୀନ ରହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ହସ୍ପିଟାଲକୁ ଯିବା ସହିତ ଏହି ରୋଗରେ ପୀଡ଼ିତ ସମସ୍ତ ଶିଶୁଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ଘୋଷଣ କରିଛନ୍ତି।

ସେପଟେ ଏହି ଘଟଣା ପାଇଁ ତିନିଟି କାରଣକୁ ମୁଖ୍ୟତଃ ଦାୟୀ କରାଯାଉଛି। ଯେଉଁ ଶିଶୁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ଆର୍ଥିକ ଅନଗ୍ରସର। ତେଣୁ ଶିଶୁମାନେ ପୂର୍ବରୁ କୁପୋଷଣର ଶିକାର ହୋଇଥିବା ଅନୁମାନ କରାଯାଉଛି। ଦ୍ବିତୀୟରେ ବିହାରରେ ଏବେ ଜୋରଦାର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେଣୁ ଶିଶୁମାନେ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି। ଏହାଉପରେ ଲିଚୁ ଯୋଗୁଁ ଦେହରେ ବ୍ଲଡ ସୁଗାର କମିଯାଉଥିବାରୁ ଶିଶୁମାନେ ହଠାତ ଏହି ଜ୍ବରରେ ପୀଡ଼ିତ ହେଉଛନ୍ତି। ଗ୍ରୀଷ୍ମ ଗରିବୀ ଓ ଲିଚୁ ହିଁ ଏଯାଏଁ ଶିଶୁଙ୍କ ମୃତ୍ୟୁର କାରଣ ହେଲାଣି। ସେପଟେ କିଛି ମତ ଦେଉଛନ୍ତି ବର୍ଷା ଆସିଲେ ସ୍ଥିତିରେ ସ୍ବାଭାବିକତା ଆସିପାରେ।

କେନ୍ଦ୍ର ସ୍ଥିତି ଉପରେ ନଜର ରଖିଛି। ଅବଶ୍ୟ ବିରୋଧୀ ଏଥିପାଇଁ ନୀତିଶ ସରକାରଙ୍କୁ ଘେରିଛନ୍ତି କିନ୍ତୁ ନିକଟରେ ବିଜେପି ଓ ଜେଡିୟୁ ମଧ୍ୟରେ ଫାଟ ଦେଖାଦେଇଥିଲେ ମଧ୍ୟ ସରକାରରେ ଅଂଶୀଦାର ଅଛି ବିଜେପି। ତେଣୁ ଏହାକୁ ନେଇ ଏକ ଅଲଗା ପ୍ରକାରର ରାଜନୀତି ଚାଲିଛି।

ବିହାରରେ ଶିଶୁଙ୍କ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର କମିଶନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବଡ଼କଥା ହେଉଛି ରାଜନୀତି ଛାଡ଼ି ସରକାର ପ୍ରଥମରୁ ରୋଗ ଚିହ୍ନିଥିଲେ ଏଭଳିଘଟଣାକୁ ହୁଏତା ଏଡ଼ାଇ ହୋଇଥାନ୍ତା।