ସଂରକ୍ଷଣ, ଅନୁଶାସନ, ଯାତ୍ରା ଉପରେ ହେଲା ଆଲୋଚନା, ହେଲେ ନେତୃତ୍ଵ ପ୍ରସଙ୍ଗରେ ହାତ ଖାଲି...

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳ କେମିତି ଉପରକୁ ଉଠିବ କଂଗ୍ରେସରେ ଭାଳେଣି ପଡିଥିଲା। ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯେବେ ଚିନ୍ତନ ଶିବିରର ଘୋଷଣା କଲେ ଆଶା କରାଯାଉଥିଲା ଯେ, ଏବେ ପାର୍ଟିରେ କିଛିଟା ପରିବର୍ତ୍ତନ ଘଟିବ। ଉଦୟପୁରରେ ତିନି ଦିନିଆ ଚିନ୍ତନ ଶିବିରକୁ ନେଇ କଂଗ୍ରେସ ମହଲରେ ଆଶାର କିରଣ ଜାଗି ଉଠିଥିଲା। ଲାଗୁଥିଲା ଏଥିରୁ ଦଳର କାୟା ପରିବର୍ତ୍ତନର ଆଭାସ ମିଳିବ।

ସୋନିଆ ଗାନ୍ଧୀ ଉଦଘାଟନ ଭାଷଣରେ ଯେବେ କହିଥିଲେ ଯେ, ଆପଣ ଏଠାରେ ସବୁ କିଛି ମନ ଖୋଲି କହି ପାରିବେ, ତ ଲାଗୁଥିଲା ମନ୍ଥନରେ ଖୋଲାଖୋଲି ଆଲୋଚନା ହେବ। ମାତ୍ର ଦୁଇ ଦିନିଆ ଶିବିରର ସମାପନ ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ସଂଖ୍ୟାଲଘୁ, ଦଳିତ ଏବଂ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଏବଂ ଅକ୍ଟୋବର ୨ରୁ ଯାତ୍ରା ଘୋଷଣାରେ ସୀମିତ ରହିଛି। ହେଲେ ସବୁଠୁ ବଡ ପ୍ରସଙ୍ଗ ଯାହାକୁ ସର୍ବଦା ଜି-୨୩ର ନେତା ଉଠାଇ ଆସୁଥିଲେ, ତାହା ଉପରେ କୌଣସି ଆଲୋଚନା କରାଯାଇ ନାହିଁ।

ଚିନ୍ତନ ଶିବିରରେ କଂଗ୍ରେସ ସଂଗଠନରେ ଦୁର୍ବଳ ବର୍ଗର ନେତାଙ୍କ ପାଇଁ ସଂରକ୍ଷଣ ଦେବା, କ୍ଷମତାକୁ ଆସିଲେ କୃଷକଙ୍କ ପାଇଁ ଏମଏସପି ଗ୍ୟାରେଣ୍ଟି ଦେବା ପ୍ରସ୍ତାବ ପାରିତ ହୋଇଛି। କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ତୃଣମୂଳସ୍ତରରେ କାମ କରିବାକୁ ଆହ୍ଵାନ କରାଯାଇଛି। ମାତ୍ର ତିନୋଟି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉପରେ ଚିନ୍ତନ ଶିବିରରେ ଆଲୋଚନା କରାଯାଇ ନାହିଁ। ଏହି ତିନୋଟି  ପ୍ରଶ୍ନ  ହେଉଛି-  ନିର୍ବାଚନ କେମିତି ଜିତିବା, ଆଗାମୀ କିଛି ବର୍ଷ କଂଗ୍ରେସର ନେତୃତ୍ଵ କିଏ ନେବ ଏବଂ ବିଜେପିର ହିନ୍ଦୁତ୍ଵ ଏବଂ ରାଷ୍ଟ୍ରବାଦର ଦଳ କେମିତି ମୁକାବିଲା କରିବ ? ଏହି ତିନି ପ୍ରଶ୍ନର ଉତ୍ତର ଖୋଜିବା ବିନା କଂଗ୍ରେସର ଉଦୟପୁରର ଚିନ୍ତନ ଶିବିରରୁ ଦଳର ଉଦୟ ହେବା ମୁସ୍କିଲ ଲାଗୁଛି।

କଂଗ୍ରେସର ପୂରା ଚିନ୍ତନ ଶିବିରରେ ଅନେକ ଭଲ ଭଲ କଥା କୁହାଯାଇଛି। ବିଚାରଧାରାର ଲଢେଇ ନେଇ ଆଲୋଚନା ହେଲା ଏବଂ ଜନତାଙ୍କଠୁ ଦଳ କେମିତି ଦୂରେଇ ଯାଇଛି ତା ଉପରେ ବି ବିଚାର ବିମର୍ଶ ହୋଇଛି। ଖୋଦ୍ ରାହୁଲ ଗାନ୍ଧୀ କହିଛନ୍ତି, ଆମକୁ ପଦଠୁ ଅପେକ୍ଷା ଅଧିକ କାମ କରିବାକୁ ପଡିବ। ମାତ୍ର ଏହି କାମ କିଏ କରିବ ଏବଂ କାହାକୁ କେଉଁ ଦାୟିତ୍ଵ ମିଳିବ ଏହା ଉପରେ କୌଣସି ଆଲୋଚନା କରାଯାଇ ନାହିଁ। ଦଳର  ଶୀର୍ଷ ନେତୃତ୍ଵ ଅସନ୍ତୁଷ୍ଟ ନେତାଙ୍କ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା କହିଛନ୍ତି। ହେଲେ ଜି-୨୩ର ଦାବି ଉପରେ କୌଣସି ଆଲୋଚନା ହୋଇ ନାହିଁ। ଜି-୨୩ ନେତାଙ୍କ ଦାବି ଥିଲା ଯେ, କଂଗ୍ରେସ ସଂସଦୀୟ ବୋର୍ଡର ଗଠନ କରାଯାଉ ଯାହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ଏହା ବ୍ୟତୀତ କଂଗ୍ରେସର କାର୍ଯ୍ୟକାରିଣୀ କମିଟିରେ ଯେଉଁ ନେତାଙ୍କୁ ସ୍ଥାନ ମିଳିଛି, ସେଥିରେ କୌଣସି ଚର୍ଚ୍ଚିତ ନେତା ସାମିଲ୍ ନାହାନ୍ତି। ବିଶେଷ କରି ସଚିନ ପାଇଲଟ୍, କମଲନାଥ, ଡିକେ ଶିବକୁମାର, ଭୂପିନ୍ଦର ସିଂହ ହୁଡ୍ଡା, ଭୂପେଶ ବଘେଲ, ଅଶୋକ ଗେହଲଟ ଏବଂ ପୃଥ୍ଵୀରାଜ ଚହ୍ଵାଣଙ୍କ ପରି ନେତାଙ୍କୁ ଏଥିରେ ସ୍ଥାନ ମିଳିନାହିଁ। ଏହି ସବୁ ନେତାଙ୍କ ନିଜ ନିଜ ରାଜ୍ୟରେ ପତିଆରା ରହିଛି। ହେଲେ ଦଳ ପାରାସୁଟ ନେତାଙ୍କୁ କାର୍ଯ୍ୟକାରିଣୀ କମିଟିରେ ସାମିଲ୍ କରିଛି। ଏବେ ଦେଖିବା ବାକି ରହିଲା ଯେ, ଚିନ୍ତନ ଶିବିରରୁ କଂଗ୍ରେସର ଭାଗ୍ୟ ଉଦୟ ହେଉଛି କି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.