ବଦଳିର ସ୍ଥାନ ନିର୍ଦ୍ଧାରଣ କରିପାରିବେନି କର୍ମଚାରୀ, ନିଷ୍ପତ୍ତି ନେବାର ଅଧିକାର କେବଳ ନିଯୁକ୍ତିଦାତାଙ୍କର: ସୁପ୍ରିମକୋର୍ଟ

Published By : Prameya-News7 Bureau | September 12, 2021 IST

ନୂଆଦିଲ୍ଲୀ ୧୨।୯:  କର୍ମଚାରୀ ବଦଳି ଲାଗି କୌଣସି ସ୍ଥାନବିଶେଷକୁ ନେଇ ଜୋର ଦେଇପାରିବେନି। ନିଯୁକ୍ତିଦାତାଙ୍କୁ ତାଙ୍କ ଆବଶ୍ୟକତା ଅନୁସାରେ କର୍ମଚାରୀଙ୍କୁ ବଦଳି କରିବାର ଅଧିକାର ରହିଛି। ଏଲହାବାଦ ହାଇକୋର୍ଟଙ୍କ ଅକ୍ଟୋବର ୨୦୧୭ ଆଦେଶକୁ ଚାଲେଞ୍ଜ କରିଥିବା ଜନୈକ ଅଧ୍ୟାପିକାଙ୍କ ଆବେଦନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ଅମରୋହାରୁ ଗୌତମ ବୁଦ୍ଧନଗରକୁ ବଦଳି ଲାଗି ଅଧ୍ୟାପିକା ସମ୍ବଦ୍ଧିତ ପ୍ରାଧିକାରୀଙ୍କୁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏମ.ଆର.ଶାହ ଓ ଜଷ୍ଟିସ୍ ଅନିଋଦ୍ଧ ବୋଷଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କୌଣସି ସ୍ଥାନକୁ ବଦଳି କରିବା ନ କରିବା କର୍ମଚାରୀ ଜୋର ଦେଇପାରିବେନି ବୋଲି କହିଛନ୍ତି। ଏହା ନିଯୁକ୍ତି ଦାତାଙ୍କ ଉପରେ ନିର୍ଭର କରେ ସେ ତାଙ୍କର ଆବଶ୍ୟକତା ଅନୁସାରେ କେଉଁ କର୍ମଚାରୀଙ୍କୁ କେଉଁ ସ୍ଥାନକୁ ବଦଳିକରି ପାରିବେ।

ଏହି କ୍ରମରେ ଆମରୋହା ଜିଲ୍ଲାରେ ନିଯୁକ୍ତ ଜନୈକା ମହିଳା ଅଧ୍ୟାପିକା ହାଇକୋର୍ଟରେ ରୁଜୁ କରିଥିବା ନିଜ ଆବେଦନରେ ସେ ଗୌତମ ବୁଦ୍ଧ ନଗରର ଏକ କଲେଜକୁ ବଦଳି ହେବା ଲାଗି ଆବେଦନ କରିଥିଲେ। ଯାହାକୁ ଅଥରିଟି ସେପ୍ଟେମ୍ବର ୨୦୧୭ରେ ଅଗ୍ରାହ୍ୟ କରିଦେଇଛନ୍ତି। ସେହିବର୍ଷ ଅକ୍ଟୋବର ମାସରେ ମହିଳା ତାଙ୍କ ଓକିଲଙ୍କ ଦ୍ୱାରା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସରକାରଙ୍କ ନିୟମ ଅନୁସାରେ ସେ ୪ ବର୍ଷ ହେଲା ଆମରୋହାରେ ଅବସ୍ଥାପିତ ଅଛନ୍ତି। ଏଣୁ ସରକାରଙ୍କ ନୀତି ଅନୁସାରେ ସେଠାରୁ ତାଙ୍କର ବଦଳି ହେବା ଆବଶ୍ୟକ ବୋଲି କହିଥିଲେ।

ମାମଲାରେ ହାଇକୋର୍ଟ ମହିଳା ଅଧ୍ୟାପିକା ତାଙ୍କ ଚାକିରୀ ୨୦୦୦ ମସିହାରେ ଗୌତମବୁଦ୍ଧନଗର ମହାବିଦ୍ୟାଳୟରୁ ଆରମ୍ଭ କରିଥିଲେ। ସେବେଠାରୁ  ୨୦୧୩ ମସିହା ପର୍ଯ୍ୟନ୍ତ ସେ ସେହି କଲେଜରେ ୧୩ ବର୍ଷ ଅବସ୍ଥାପିତ ଥିଲେ। ଏଣୁ ପୁଣି ସେହି କଲେଜକୁ ଯିବା ଲାଗି ତାଙ୍କ ଅନୁରୋଧ ଗ୍ରହଣୀୟ ନୁହେଁ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.