ଆରବିଆଇ ମୂଦ୍ରାନୀତି ଋଣଗ୍ରହୀତାଙ୍କୁ ଲାଭ ଦେବ : କମିବ ବ୍ୟାଙ୍କ୍ ସୁଧ, କମିବ EMI
27/03/2020 at 1:42 PM

ନୂଆଦିଲ୍ଲୀ ୨୭।୩: କରୋନା ଭାଇରସ୍ ଯୋଗୁଁ ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଜାରି ରହିଛି | ଏଭଳି ପରିସ୍ଥିତିରେ ଅର୍ଥନୀତି ପ୍ରଭାବିତ ହେଉଛି । ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର କ୍ରମାଗତ ଭାବରେ ବଡ ଘୋଷଣାମାନ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପରେ ବର୍ତ୍ତମାନ ଆରବିଆଇ ସୁଧ ହାର ହ୍ରାସ କରିବାକୁ ଘୋଷଣା କରିଛି । ଆରବିଆଇ ରେପୋ ରେଟ୍ କୁ ୦.୭୫ ବେସିସ୍ ପଏଣ୍ଟ କମାଇ ୪.୪ ପ୍ରତିଶତକୁ ହ୍ରାସ କରିଛି। ଏହି ନିଷ୍ପତ୍ତି ବ୍ୟାଙ୍କ ସହିତ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ | ଶୀଘ୍ର ବ୍ୟାଙ୍କଗୁଡିକ ସେମାନଙ୍କ ଗ୍ରାହକଙ୍କ EMI ହ୍ରାସ କରିବାକୁ ନିଷ୍ପତ୍ତି ନେଇପାରନ୍ତି | ନୂତନ ବେଞ୍ଚମାର୍କ ଫର୍ମୁଲା ଆଧାରରେ ଗୃହ ଋଣର EMI କମ୍ ହେବ | MCLR ଗୃହ ଋଣର EMI ହ୍ରାସ କରିବାକୁ ଏବେ ସମୟ ଲାଗିବ |
ଆରବିଆଇ ରେପୋ ରେଟ୍ ୫.୧୫ ରୁ ୪.୪ ପ୍ରତିଶତକୁ ହ୍ରାସ ପାଇଛି । ରେପୋ ରେଟ୍ ରେ ଏହି ହ୍ରାସ ଆରବିଆଇ ଇତିହାସରେ ସବୁଠାରୁ ବଡ ଘୋଷଣା | ଗତ ଦୁଇଟି ମୁଦ୍ରା ସମୀକ୍ଷା ବୈଠକରେ ଆରବିଆଇ ରେପୋ ରେଟ୍ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇନଥିଲେ ।
ଏହା ସହିତ ଆରବିଆଇ ରିଭର୍ସ ରେପୋ ରେଟ୍ କୁ ୦.୯୦ ପ୍ରତିଶତ ହ୍ରାସ କରି ୪ ପ୍ରତିଶତ କରିଦେଇଛନ୍ତି । ରେପୋ ରେଟ୍ ହ୍ରାସ ଫଳରେ ଘର, କାର୍ କିମ୍ବା ଅନ୍ୟ ପ୍ରକାରର ଋଣ ନେଉଥିବା ଲୋକମାନଙ୍କୁ ଲାଭ ମିଳିବ |
ଆରବିଆଇର ମୁଦ୍ରା ନୀତି ସମୀକ୍ଷା ୩ ଏପ୍ରିଲରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ବର୍ତ୍ତମାନର ଅବସ୍ଥାକୁ ଦୃଷ୍ଟିରେ ରଖି ଏହାକୁ ତ୍ବରାନ୍ବିତ କରାଯାଇଥିଲା | ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ମୁଦ୍ରା ନୀତି କମିଟି (MPC) ୨୪, ୨୫ ଏବଂ ୨୬ ମାର୍ଚ୍ଚରେ ଏକ ବୈଠକ କରି ଦେଇଥିଲେ କାରଣ ଖୁବ୍ ଶୀଘ୍ର ରେପୋ ରେଟ୍ ହ୍ରାସ ନେଇ ଘୋଷଣା କରିପାରିବେ ।