ମ୍ୟାଁମାରରେ ଟଳିଲା ବଡ ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକଦଳଙ୍କ ସମେତ ୮୯ ଯାତ୍ରୀ
2/06/2019 at 8:04 PM

ରବିବାର ମ୍ୟାଁମାର ମଣ୍ଡାଲେ ବିମାନ ବନ୍ଦରରେ ଏକ ବଡ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଥିବା ଜଣାପଡିଛି। ଜାତୀୟ ବିମାନ କମ୍ପାନୀର ଏହି ଯାତ୍ରୀବାହୀ ବିମାନକୁ ପାଇଲଟ ପଛ ଦୁଇ ଚକରେ ଜରୁରୀ ଅବତରଣ କରାଇବା ଦୃଶ୍ୟ କିଛି ସମୟ ପାଇଁ ବିମାନ ବନ୍ଦର କର୍ମାଚାରୀଙ୍କ ନିଶ୍ବାସ ରୋକି ଦେଇଥିଲା। ତେବେ ବିମାନ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ମ୍ୟାଁମାର ଜାତୀୟ ଏୟାରଲାଇନ୍ସର ବିମାନ ୟୁବି-୧୦୩ ପୂର୍ବାହ୍ନ ୯ଟା ବେଳ ବିମାନ ବନ୍ଦରରେ ଅବତରଣ କରିବା ବେଳେ ଆଗ ଚକ ଖୋଲିନଥିଲା। ଏଣୁ ଲ୍ୟାଣ୍ଡିଂ ପାଇଁ ରନୱେ ଉପରକୁ ଓହ୍ଲାଇ ଆସିଥିବା ବିମାନକୁ ପାଇଲଟ ପଛ ଚକରେ ଓହ୍ଲାଇବାରେ ସଫଳ ହୋଇଛନ୍ତି। ବିମାନରେ ୭ ଜଳ ଚାଳକଦଳ ସଦସ୍ୟଙ୍କ ସମେତ ସେତେବେଳେ ମୋଟ ୮୯ ଜଣ ଯାତ୍ରୀ ଥିଲେ।

ସେପଟେ ଗୋ ଏୟାରର ଜି-୮, ୫୮୬ ବିମାନକୁ ଆଜି ଔରଙ୍ଗାବାଦ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିବା ଜଣାପଡିଛି । ପାଟନାରୁ ମୁମ୍ବାଇ ଯାଉଥିବା ବିମାନ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ତୁରନ୍ତ ଅବତରଣ କରିବା ଜରୁରା ହୋଇପଡିଥିଲା। ଏଣୁ ନିକଟରେ ଥିବା ଔରଙ୍ଗାବାଦ ବିମାନ ବନ୍ଦରରେ ବିମାନକୁ ଅବତରଣ କରାଯାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅବତରଣ କରିଥିଲେ। ଯେଉଁମାନଙ୍କୁ ପରେ ଅନ୍ୟ ବିମାନରେ ସେମାନଙ୍କ ଗନ୍ତବ୍ୟ ଅଭିମୁଖେ ପଠାଯାଇଛି। ଗତମାସରେ ଗୋ ଏୟାରର ପାଟନା ଯାଉଥିବା ବିମାନ ହାଇଦ୍ରାବାଦରେ ଜରୁରୀ ଅବତରଣ କରିଥିଲା। ଘଟଣାକୁ ମାସଟିଏ ହୋଇଥିବା ବେଳେ ପୁଣି ସମ୍ପୃକ୍ତ କମ୍ପାନୀର ଆଉ ଗୋଟିଏ ବିମାନ ଜରୁରୀ ଅବତରଣ କରିବା ଗୋ ଏୟାର ପାଇଁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।