ଅଳ୍ପକେ ବର୍ତ୍ତିଗଲା ୧୪୯ ଯାତ୍ରୀଙ୍କ ଜୀବନ, ସିଗନାଲ ଫେଲ୍ ହେବାରୁ ଜରୁରୀକାଳୀନ ଅବତରଣ କଲା ବିମାନ

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ ୨।୭: ମଝି ଆକାଶରେ ବୈଷୟିକ ତ୍ରୁଟି ଯୋଗୁଁ ବାହରିନରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି । ସିଗନାଲ ପାଇବାରେ ସମସ୍ୟା ହେତୁ ବିମାନର ପାଇଲଟ ତୁରନ୍ତ ବିମାନଟିକୁ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଚାନକ ଅବତରଣ ଯୋଗୁଁ ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ବାହରିନରୁ ଦିଲ୍ଲୀ ଯାଉଥିବା ବିମାନରେ୧୪୯ ଜଣ ଯାତ୍ରୀ ଥିଲେ । ସୂଚନା ଅନୁସାରେ ପାଇଲଟ୍ ଜାଣିବାକୁ ପାଇଥିଲେ ଯେ ବିମାନରେ କିଛି ବୈଷୟିକ ତ୍ରୁଟି ରହିଛି । ଏହାପରେ ପାଇଲଟ ଜଣଙ୍କ ତୁରନ୍ତ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ୍-୧ରେ ଅବତରଣ କରାଯାଇଥିଲା। ଗୁରୁବାର ସକାଳେ ଏହି ଘଟଣା ଘଟିଥିବା କୁହାଯାଉଛି।

ପାଇଲଟ୍ ଜଣଙ୍କ ଚତୁରତାର ସହ ବିମାନଟିକୁ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରାଇଥିଲେ । ସେ ପ୍ରଥମେ ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ଏଟିସି ସହିତ ଯୋଗାଯୋଗ କରିଥିଲେ ଏବଂ ବିମାନର ଜରୁରୀ ଅବତରଣ ସଂପର୍କରେ ତୁରନ୍ତ ସୂଚନା ଦେଇଥିଲେ। ପରେ ବିମାନର କ୍ରୁ ସଦସ୍ୟମାନଙ୍କ ସହିତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରି ବାହାରକୁ ବାହାର କରାଯାଇଥିଲା ।

ବିମାନର ଜରୁରୀ ଅବତରଣ ବିଷୟରେ ସୂଚନା ପାଇବା ମାତ୍ରେ ଗୋଟିଏ ରନୱେ ତୁରନ୍ତ କ୍ଲିୟର କରାଯାଇଥିଲା। ବିମାନବନ୍ଦର ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସକୁ ରନଓ୍ବେ ନିକଟକୁ ପଠାଇ ଦିଆଯାଇଥିଲା। ସକାଳ ୮ଟା୫ରେ ପାଇଲଟ୍ ବିମାନଟିକୁ ସୁରକ୍ଷିତ ଭାବରେ ରନୱେରେ ଅବତରଣ କରିଥିଲେ। କୁହାଯାଉଛି ଯେ, ଏୟାର ଇଣ୍ଡିଆର ବିମାନ ନମ୍ବର ଏଆଇ-୯୪୦ରେ ସିଗନାଲ୍ ହାଇଡ୍ରୋଲିକ୍ ଫେଲ୍ ସମସ୍ୟା ଦେଖାଯାଇଥିଲା।  ଏହି କାରଣରୁ ବିମାନଟି ସିଗନାଲ ପାଇପାରୁନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.