୨୦୨୨ରେ ଭାରତରେ ସାଟେଲାଇଟ୍‌ ଇଣ୍ଟର୍‌ନେଟ୍‌ ସେବା ଯୋଗାଇବ ଏଲନ୍‌ ମସ୍କଙ୍କ କମ୍ପାନୀ ଷ୍ଟାର୍‌ ଲିଙ୍କ୍‌, ଜାଣନ୍ତୁ କେବେ ଏବଂ କେଉଁ ସହରରେ ହେବ ଲଞ୍ଚ୍‌

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ, ୦୧/୦୩: କିଛିଦିନ ତଳେ ବିଶ୍ୱର ଏକ ନମ୍ୱର ଧନୀର ସ୍ଥାନକୁ ଆସି ଚର୍ଚ୍ଚାରେ ରହିଥିବା ଏଲନ୍ ମସ୍କ ଏବେ ଭାରତ ମୁହାଁ ହୋଇଛନ୍ତି । ସ୍ପେସ୍‌ ଏକ୍ସ କମ୍ପାନୀର ପରିଚାଳନାଧୀନ ଷ୍ଟାର୍‌ ଲିଙ୍କ୍‌ ଇଣ୍ଟର୍‌ନେଟ୍‌ ସେବାକୁ ସେ ଭାରତରେ ପ୍ରବେଶ କରାଇବାକୁ ଯାଉଛନ୍ତି । ଏହି କମ୍ପାନୀକୁ ସେ ୨୦୦୨ ମସିହାରେ ସ୍ଥାପନା କରିଥିଲେ ।

ଏକ ୱେବ୍‌ ସାଇଟ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ମସିହାରେ ଷ୍ଟାର୍‌ ଲିଙ୍କ୍‌ ଏହାର ଇଣ୍ଟର୍‌ନେଟ୍‌ ସେବାକୁ ଭାରତରେ ଲଞ୍ଚ୍‌ କରିବାକୁ ଯୋଜନା କରୁଛି । କେଉଁ ସମୟରେ ଏହା ଲଞ୍ଚ କରାଯିବ ସେନେଇ ଏଥିରେ ନିର୍ଦ୍ଧିଷ୍ଟ ତଥ୍ୟ ଦିଆଯାଇ ନାହିଁ । କିନ୍ତୁ ଏବେ ଠାରୁ ଏହି ସେବାକୁ ପାଇବା ପାଇଁ ଆପଣ ଅଗ୍ରୀମ ବୁକିଙ୍ଗ୍‌ କରିପାରିବେ ବୋଲି ସୂଚନା ଦିଆଯାଇଛି ।

ଅଧିକାଂଶ ସହର ଯଥା- ଦିଲ୍ଲୀ, ମୁମ୍ୱାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ସହରରେ ଏହି ସେବା ଉପଲବ୍ଧ ହେବ । ଏଥିପାଇଁ ଆପଣ ଏହାର ୱେବ୍‌ ସାଇଟ୍‌କୁ ଯାଇ ଆପଣଙ୍କ ସହର ଏଥିରେ ଆସୁଛି କି ନାହିଁ ସେ ବିଷୟରେ ଜାଣି ପାରିବେ । ଏହାର ପ୍ରି ବୁକିଙ୍ଗ୍‌ ପ୍ରାଇସ୍‌ ୯୯ ଡଲାର୍‌ ରଖାଯାଇଛି ଅର୍ଥାତ ଭାରତୀୟ ମୁଦ୍ରାରେ ଏହା ପାଖାପାଖି ୭,୩୦୦ ଟଙ୍କା ରହିଛି । ଏହି ଟଙ୍କା ଷ୍ଟାର ଲିଙ୍କ୍‌ ତରଫରୁ ଯନ୍ତ୍ରପାତି ପାଇଁ ନିଆଯାଉଛି । ଯାହାଦ୍ୱାରା ବ୍ୟବହାରକାରୀଙ୍କ ଠିକଣାରେ ଏହାକୁ ଇନ୍‌ଷ୍ଟଲ୍‌ କରିଦିଆଯିବା ପରେ ସେମାନେ ଇଣ୍ଟରନେଟ୍‌ର ବ୍ୟବହାର କରିପାରିବେ । ଯଦି ଆପଣ ପେମେଣ୍ଟ ପରେ ଏହାକୁ ନେବାକୁ ଚାହୁଁ ନାହାନ୍ତି ତେବେ ଏହି ଟଙ୍କା ଆପଣଙ୍କୁ ରିଫଣ୍ଡ୍‌ କରିଦିଆଯିବ । ଟଙ୍କା ଆପଣ ଡେବିଟ୍‌ କିମ୍ୱା କ୍ରେଡିଟ୍‌ କାର୍ଡ ଜରିଆରେ ପେମେଣ୍ଟ୍‌ କରିପାରିବେ ।

ବର୍ତ୍ତମାନ ଏହି ଇଣ୍ଟରନେଟ୍‌ର ସ୍ପିଡ୍‌ ୫୦ରୁ ୧୫୦ ଏମ୍‌ବିପିଏସ୍‌ ରହିଥିବା ବେଳେ ଆଗକୁ ଏହା ଡବଲ୍‌ ହୋଇ ୩୦୦ ଏମ୍‌ବିପିଏସ୍‌ ହୋଇଯିବ ବୋଲି ଏଲନ୍‌ ମସ୍କ କହିଛନ୍ତି । ଟ୍ରାଇ ରିପୋର୍ଟ ଅନୁସାରେ ଭାରତରେ ୨୨ ମିଲିୟନ୍‌ ବ୍ରଡ୍‌ବ୍ରାଣ୍ଡ୍‌ କନେକ୍ସନ ରହିଛି ଏବଂ ୧୧୫ ମିଲିୟନ୍‌ ମୋବାଇଲ୍‌ ଏହି ସେବାକୁ ବ୍ୟବହାର କରୁଛନ୍ତି । ତେବେ ଏହି ସେବା ୨୦୨୨ର କୌଣସି ସମୟରେ ବି ଲଞ୍ଚ କରାଯାଇପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.