ଅନାହାର ଦୂର କରିବା ପାଇଁ ପ୍ଲାନ୍ କ'ଣ କୁହନ୍ତୁ ୟୁଏନ ଅଧିକାରୀ, ମୁଁ ୬ ଅରବ ଡଲାର ଦେବାକୁ ପ୍ରସ୍ତୁତ: ଏଲନ ମସ୍କ

Published By : Prameya-News7 Bureau | November 03, 2021 IST

ନୂଆଦିଲ୍ଲୀ ୦୩।୧୧: ଅନାହାର ପୂରା ଦୁନିଆ ପାଇଁ ଏକ ବଡ ସମସ୍ୟା। ଏହାର ମୁକାବିଲା ପାଇଁ ଆଗକୁ ଆସିଛନ୍ତି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ। ସେ କହିଛନ୍ତି, ମିଳିତ ଜାତିସଂଘର ଅଧିକାରୀ ଏହା ଜଣାନ୍ତୁ ଯେ ତାଙ୍କ ଛଅ ଅରବ ଡଲାରକୁ ବିନିଯୋଗ କରି ଅନାହାର କେମିତି ଦୂର କରାଯାଇ ପାରିବ, ତେବେ ସେ ନିଜର ସେୟାର ବିକିବାକୁ ପ୍ରସ୍ତୁତ।

ଏହାକୁ ନେଇ ମସ୍କ  ଟ୍ଵିଟ୍ କରିଛନ୍ତି ଯେ, ଡବ୍ଲ୍ୟୁଏଫପି ଏହା ଜଣାନ୍ତୁ ଯେ, କିଭଳି ଦୁନିଆରୁ ଅନାହାରର ଅନ୍ତ ଘଟିବ। ଏମିତି ହେଲେ ମୁଁ ଏବେ ଟେସଲାର ଷ୍ଟକ୍ ବିକ୍ରି କରିବାକୁ ପ୍ରସ୍ତୁତ। ଉଲ୍ଲେଖନୀୟ ମିଳିତ ଜାତିସଂଘର ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡେଭିଡ୍ ବେସଲି ଏକ ସାକ୍ଷାତକାରରେ କହିଥିଲେ ଯେ, ଟେସଲା ମୁଖ୍ୟ ଏଲନ ମସ୍କଙ୍କ ପୂରା ସଂପତ୍ତିର କେବଳ ୨ ପ୍ରତିଶତ ଅଂଶରେ ଦୁନିଆରୁ ଅନାହାର ଦୂର କରାଯାଇ ପାରିବ।

ବେସଲି ସାକ୍ଷାତକାରରେ ଏଲନ ମସ୍କଙ୍କ ବ୍ୟତୀତ ଜେଫ ବେଜୋସଙ୍କ ନାମ ମଧ୍ୟ ନେଇଥିଲେ। ସେ କହିଥିଲେ, ଏହି ଦୁଇ ବ୍ୟକ୍ତି ଦୁନିଆରୁ ଅନାହାର ଦୂର କରି ପାରିବେ। ଉଲ୍ଲେଯୋଗ୍ୟ, ଏଲନ ମସ୍କଙ୍କ ସଂପତ୍ତି ୩୦୦ ଅରବ ଡଲାର ଟପିଛି ଏବଂ ବେଜୋସଙ୍କ ସଂପତ୍ତିର ମୂଲ୍ୟ ହେଉଛି ୧୯୫ ଅରବ ଡଲାର।

ମିଳିତ ଜାତିସଂଘର ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ବେସଲିଙ୍କ କହିବା କଥା ୪.୨ କୋଟି ଲୋକଙ୍କ ସାହାଯ୍ୟ ପାଇଁ ୬ ଅରବ ଡଲାର ଆବଶ୍ୟକ। ଯଦି ସମୟ ପୂର୍ବରୁ ଏହି ଅଭାବୀ ଲୋକଙ୍କ ପାଖରେ ସାହାଯ୍ୟ ନପହଞ୍ଚେ ତେବେ ଅନାହାରରେ ହିଁ ଏମାନଙ୍କର ମୃତ୍ୟୁ ଘଟିପାରେ।

 ବେସଲି ଏହା ମଧ୍ୟ କହିଥିଲେ, ଏଲନ ମସ୍କଙ୍କ ପାଇଁ ଏହା ଏକ ଭଲ ସୁଯୋଗ ଯେ, ସେ ଛଅ ଅରବ ଡଲାରରେ ଦୁନିଆକୁ ଅନାହାରରୁ ମୁକ୍ତ  କରି ପାରିବେ। ଏହା ପରେ ଟେସଲା ମୁଖ୍ୟ ଜବାବ ଦେଇ କହିଛନ୍ତି, ସେ ନିଜ ସଂପତ୍ତିର ୨ ପ୍ରତିଶତ ଅର୍ଥାତ ୬ ଅରବ ଡଲାର ଦେବାକୁ ପ୍ରସ୍ତୁତ, ମାତ୍ର ମିଳିତ ଜାତିସଂଘର ଅଧିକାରୀଙ୍କୁ ଏହା ଜଣାଇବାକୁ ପଡିବ ଯେ, ଦୁନିଆକୁ ଅନାହାରରୁ ମୁକ୍ତ କରିବା ପାଇଁ ଏହି ଅର୍ଥର ବିନିଯୋଗ କେଉଁ ଭଳି କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.