ଆଇପିଏଲ ଏଲିମିନେଟର: ଆଜି କୋହଲି-ମୋର୍ଗାନଙ୍କ ପାଇଁ 'କର ବା ମର', ହାରିବା ଦଳ ଟୁର୍ଣ୍ଣାମେଣ୍ଟରୁ ହେବ ବାହାର

Published By : Prameya-News7 Bureau | October 11, 2021 IST

ସାରଜା ୧୧।୧୦: ଆଇପିଏଲ ୨୦୨୧ର ଆଜି ଖେଳାଯିବ ଏଲିମିନେଟର ମୁକାବିଲା। ଏଥିରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ। ଉଭୟ ଦଳ ପାଇଁ ଏହି ମ୍ୟାଚ୍ 'କର ବା ମର' ସଦୃଶ ହୋଇଛି। ଜିତିବା ଦଳ କ୍ଵାଲିଫାୟର-୨ ଖେଳିବ ଏବଂ ହାରିବା ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ। ଏହି ଗୁରୁତ୍ଵପୂର୍ଣ୍ଣ ମୁକାବିଲା ସାରଜାରେ ଖେଳାଯିବ।

ଏଲିମିନେଟର ଜିତିବା ଦଳର ମୁକାବିଲା କ୍ଵାଲିଫାୟର-୧ରେ ପରାଜିତ ଦିଲ୍ଲୀ କ୍ୟାପିଟାଲ୍ସ ସହ ଅକ୍ଟୋବର ୧୩ରେ ହେବ। ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରି ସାରିଛି। ଆଇପିଏଲରେ ଏ ପର୍ଯ୍ୟନ୍ତ ଆରସିବି ଏବଂ କେକେଆର ମଧ୍ୟରେ ୨୮ ମ୍ୟାଚ୍ ଖେଳା ଯାଇଛି। କୋଲକାତା ୧୫ଟି ଜିତିଥିବା ବେଳେ ଆରସିବି ୧୩ଟି ଜିତିଛି। ଗତ ୫ଟି ମ୍ୟାଚ୍‌ରେ ଆରସିବିର ପଲ୍ଲା ଭାରି ରହିଛି ଏବଂ ଦଳ କେକେଆରକୁ ୪ ଥର ମାତ୍ ଦେଇଛି।

ଆରସିବି ଦଳ ନିଜର ଅନ୍ତିମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଶେଷ ବଲ୍‌ରେ ଛକା ମାରି ବିଜୟ ହାସଲ କରିବା ପରେ ଆତ୍ମ ବିଶ୍ଵାସ ଉର୍ଦ୍ଧ୍ଵରେ ରହିଛି। ଦଳ ୪ ମ୍ୟାଚ୍‌ରୁ ୯ ବିଜୟ ସହ ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ କେକେଆର ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ନିରାଶଜନକ ପ୍ରଦର୍ଶନ କରିବା ପରେ ୟୁଏଇରେ ୭ଟିରୁ ୫ ବିଜୟ ସହ ପ୍ଲେ ଅଫ୍‌ରେ ପହଞ୍ଚିଛି। ଦଳର ଆତ୍ମ ବିଶ୍ଵାସ ମଧ୍ୟ ଉର୍ଦ୍ଧ୍ଵରେ ରହିଛି।

କେକେଆର ଆଇପିଏଲ୍‌ରେ ଦୁଇ ଥର ଟାଇଟଲ୍ ଜିତିଥିବା ବେଳେ ଆରସିବି ନିଜର ପ୍ରଥମ ଟାଇଟଲ୍ ସନ୍ଧାନରେ ରହିଛି। ସେମିତିରେ ଆରସିବି ପାଇଁ କୋହଲି ଶେଷ ଥର ନେତୃତ୍ଵ ନେଉଛନ୍ତି। ତେଣୁ ଦଳକୁ ଚାମ୍ପିଅନ କରାଇ ସେ ଭବ୍ୟ ବିଦାୟ ନେବାକୁ ଚେଷ୍ଟା କରିବେ।

ଦୁଇ ଦଳର ବ୍ୟାଟିଂ ଏବଂ  ବୋଲିଂକୁ ଦେଖିଲେ ମ୍ୟାଚ୍ କଡା ଟକ୍କର ହେବ ବୋଲି ଆଶା କରାଯାଉଛି। କୋଲକାତାର ଓପନିଂ ଯୋଡି ଭେଙ୍କଟେଶ ଆୟର ଓ ଶୁଭମାନ ଗିଲ୍ ଦଳକୁ ଭଲ ଆରମ୍ଭ ଦେଉଥିବା ବେଳେ ମଧ୍ୟ କ୍ରମରେ ନୀତିଶ ରାଣା, ରାହୁଲ ତ୍ରିପାଠୀ ଏବଂ ଦିନେଶ କାର୍ତ୍ତିକ ବ୍ୟାଟିଂ ସମ୍ଭାଳୁଛନ୍ତି। ଦ୍ରୁତ ବୋଲିଂରେ ଲୋକି ଫର୍ଗ୍ୟୁସନ, ଟିମ୍ ସାଉଦି ଏବଂ ଶିବମ ମାଭି ଭଲ ପ୍ରଦର୍ଶନ କରୁଥିବା ବେଳେ ସ୍ପିନ ବୋଲିଂ ଭାର ସମ୍ଭାଳୁଛନ୍ତି  ବରୁଣ ଚକ୍ରବର୍ତ୍ତୀ।

ଅନ୍ୟପଟେ ଆରସିବି ପାଇଁ ସବୁଠୁ ବଡ କଥା ଗ୍ଲେନ ମ୍ୟାକ୍ସଓ୍ଵେଲ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ ସିଜିନରେ ୬ ଅର୍ଦ୍ଧଶତକ ସହ ଦଳ ପକ୍ଷରୁ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ। ଦେବଦତ୍ତ ପାଡିକଲ ଓପନିଂରେ ଉପଯୋଗୀ ସାବ୍ୟସ୍ତ ହେଉଥିବା ବେଳେ ମଧ୍ୟ କ୍ରମରେ ମ୍ୟାକ୍ସଓ୍ଵେଲ ଓ ଡିଭିଲିୟର୍ସ ନିଜର ଭୂମିକା ନିର୍ବାହ କରୁଛନ୍ତି। ଗତ ମ୍ୟାଚ୍‌ରେ ଭରତ ଅରୁଣ ମ୍ୟାଚ୍ ବିଜୟୀ ଇନିଂସ ଖେଳିବା ଆରସିବିକୁ ଆଶ୍ଵସ୍ତ କରିଛି। ବୋଲିଂ ହର୍ଷଲ ପଟେଲ୍ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହୋଇଛନ୍ତି।

ଦୁଇ ଦଳର ସମ୍ଭାବିକ ଏକାଦଶ

କୋଲକାତା  ନାଇଟ୍ ରାଇଡର୍ସ

ଶୁଭମାନ ଗିଲ୍, ଭେଙ୍କଟେଶ ଆୟର, ନୀତିଶ ରାଣା, ରାହୁଲ ତ୍ରିପାଠୀ, ଇଅନ ମୋର୍ଗାନ(ଅଧିନାୟକ), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ସାକିବ ଅଲ ହସନ, ସୁନିଲ ନାରିନେ, ଲୋକି ଫର୍ଗ୍ୟୁସନ,  ବରୁଣ ଚକ୍ରବର୍ତ୍ତୀ, ଶିବମ ମାଭି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ବିରାଟ କୋହଲି(ଅଧିନାୟକ), ଦେବଦତ୍ତ ପାଡିକଲ, ଶ୍ରୀକର ଭରତ(ଓ୍ଵିକେଟ୍ କିପର), ଗ୍ଲେନ ମ୍ୟାକ୍ସଓ୍ଵେଲ, ଏବି ଡିଭିଲିୟର୍ସ, ଡେନ କ୍ରିଷ୍ଟିୟାନ, ଶାହବାଜ ଅହମ୍ମଦ, ଜର୍ଜ ଗାର୍ଟନ/କାଇଲ ଜେମିସନ, ମହମ୍ମଦ ସିରାଜ, ହର୍ଷଲ ପଟେଲ୍, ୟୁଜବେନ୍ଦ୍ର ଚହଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.