୧୦ ଫୁଟ୍ ତଳକୁ ଖସିପଡିଲା ଲିଫ୍ଟ, ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ କମଳନାଥ : ଯାଞ୍ଚ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | February 21, 2021 IST

ଇନ୍ଦୋର ୨୧/୦୨ : ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ଭର୍ତ୍ତି ଯାଇଛନ୍ତି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ । ଇନ୍ଦୋରର ଏକ ଘରୋଇ ହସ୍ପିଟାଲର ଲିଫ୍ଟ ଅଚଳ ହୋଇ ତଳକୁ ଖସିଯିବା ଫଳରେ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କମଳନାଥ । ତେବେ ଅତ୍ୟଧିକ ଭୟଭୀତ ହୋଇଯାଇଥିବାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ।

ଏହାପରେ ତୁରନ୍ତ ସେହି ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଫୋନ କରି କମଳନାଥଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏହା ସହିତ ଇନ୍ଦୋରର ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ସୂଚନା ଅନୁସା​‌ରେ, ଇନ୍ଦୋରର ଡିଏନ୍‌ଏସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବରିଷ୍ଠ କଂଗ୍ରେସ ନେତା ରାମେଶ୍ବର ପଟେଲଙ୍କୁ ଦେଖିବା ପାଇଁ ପହଞ୍ଚିଥିଲେ କମଳନାଥ । ତାଙ୍କ ସହିତ କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଲିପ୍ଟରେ ଉପରକୁ ଯିବା ପାଇଁ ପ୍ରବେଶ କରିଥିଲେ । ଏତିକି ବେଳେ ଲିଫ୍ଟ ଅଚାନକ ପ୍ରାୟ ୧୦ ଫୁଟ୍‌ ତଳକୁ ଖସିପଡିଥିଲା ଏବଂ ଲିପ୍ଟର ଡୋର ଲକ୍‌ ହୋଇଯାଇଥିଲା । ପ୍ରାୟ ୧୦ ମିନିଟ୍‌ ପରେ ଲିପ୍ଟର ଲକ୍‌ ଭାଙ୍ଗି କମଳନାଥ ଏବଂ ଅନ୍ୟ କଂଗ୍ରେସ ନେତାମାନଙ୍କୁ ଉଦ୍ଧାର କରାଯାଇଥିଲା । କମଳନାଥଙ୍କ ସହିତ ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂହ ବର୍ମା, ଜୀତୁ ପଟଓ୍ବରୀ, ବିଧାୟକ ବିଶାଳ ପଟେଲଙ୍କ ସମେତ ସୁରକ୍ଷାକର୍ମୀ ମଧ୍ୟ ଥିଲେ ।

ତେବେ କମଳନାଥଙ୍କ ସମେତ ଅନ୍ୟମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ କଂଗ୍ରେସ ଅଭିଯୋଗ କରିଛି ଯେ, ସୁରକ୍ଷା ବ୍ୟବସ୍ଥାରେ ଢିଲା କାରଣରୁ ଏପରି ଦୁର୍ଘଟଣା ଘଟିଛି । ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରିଛି କଂଗ୍ରେସ । ସେପଟେ ଘଟଣାର ଯାଞ୍ଚ ପାଇଁ ଇନ୍ଦୋର ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.