ହାତୀ ଉପରେ ନୃଶଂସ ମଣିଷର ପ୍ରଭାବ : ଦାନ୍ତ ପାଇଁ ହାତୀ ଶିକାର ବଦଳାଇଦେଲା ଜିନ୍, ମୋଜାମ୍ବିକରେ ଜନ୍ମ ନେଇଛନ୍ତି ଦନ୍ତହୀନ ହାତୀ

Published By : Prameya-News7 Bureau | October 23, 2021 IST

କେପଟାଉନ୍, ୨୩/୧୦:  ହାତୀ ଦାନ୍ତ ବହୁତ ମୂଲ୍ୟବାନ । ଅନେକ କାମରେ ଲାଗିଥାଏ ଦାନ୍ତ । ସେଥିପାଇଁ ଶିକାରୀଙ୍କ ଟାର୍ଗେଟରେ ରହିଥାନ୍ତି ଗଜରାଜ । ଶିକାରୀମାନେ ହାତୀଙ୍କୁ ମାରି ଦାନ୍ତ ଲୁଟି ନିଅନ୍ତି । ଏହାମଧ୍ୟରେ ଏକ ରୋଚକ କଲା ଭଳି ଖବର ସାମ୍ନାକୁ ଆସିଛି । ଶିକାର ପାଇଁ ହାତୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିଛି । ଆଫ୍ରିକାର ମୋଜାମ୍ବିକରେ ଚାଲିଥିବା ଗୃହଯୁଦ୍ଧ ଓ ଶିକାର ପାଇଁ ଭବିଷ୍ୟତରେ ଗଜରାଜଙ୍କଠାରେ ଆଉ ଦାନ୍ତ ଦେଖିବାକୁ ମିଳୁନାହିଁ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି ।

୧୯୭୭ରୁ ୧୯୯୨ ମଧ୍ୟରେ ମୋଜାମ୍ବିକରେ ଗୃହଯୁଦ୍ଧ ଚାଲିଥିଲା । ଏହି ସମୟରେ ଯୁଦ୍ଧଖର୍ଚ୍ଚ ବହନ ପାଇଁ ସ୍ଥାନୀୟ ଲୋକେ ବହୁ ସଂଖ୍ୟାରେ ହାତୀ ଶିକାର କରିବା ସହ ଦାନ୍ତ କାଢିନେଇଥିଲେ । ଗୋରୋଗୋସା ଜାତୀୟ ଉଦ୍ୟାନରେ ୯୦ ପ୍ରତିଶତ ହାତୀ ପ୍ରାଣ ହରାଇଥିଲେ । ଏବେ ଏଠାରେ ଜନ୍ମ ହେଉଥିବା ହାତୀଙ୍କର ଆଉ ବଡବଡ ଦାନ୍ତ ନାହିଁ । ଜିନ୍ ବା ଗୁଣସୂତ୍ର କାରଣରୁ ଏପରି ହୋଇଥିବା କୁହାଯାଉଛି । ସାଭାନ୍ନାରେ ମଧ୍ୟ ଦାନ୍ତବିହୀନ ହାତୀ ଦେଖିବାକୁ ମିଳିଛନ୍ତି । ଏହାସହ ତିନୋଟି ହାତୀ ମଧ୍ୟରୁ ଦୁଇଟି ମାଈ ହାତୀ ଜନ୍ମ ହେଉଛନ୍ତି ।

ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ,  ଛୁଆ ମାଈ ହାତୀ ସେମାନଙ୍କ ମାଆ ସହ ରହିଥାନ୍ତି । ପୁରୁଷ ହାତୀ ମଧ୍ୟ ଏପରି ଭାବେ ରହିଥାନ୍ତି । ଫଳରେ ସେମାନଙ୍କ ଜନସଂଖ୍ୟାରେ ଅସମାନତା ଦେଖିବାକୁ ମିଳିଥାଏ । ଅଧିକ ଗବେଷଣା ପାଇଁ ଗବେଷକମାନେ କିଛି ମାଈ ହାତୀଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲେ । ଯେଉଁଥିରେ ଜଣାପଡିଥିଲା ଯେ, ହାତୀ ଶରୀରରେ ଥିବା କେବଳ ଗୋଟିଏ ଜିନ୍ ଏତେ ବଡ ପରିବର୍ତ୍ତନ ପାଇଁ ଦାୟୀ । ଏହି ଜିନ୍ ପୁରୁଷ ଭୃଣଙ୍କ ପାଖରେ ପହଁଚିବା ପରେ ବ୍ୟାପକ ପରିବର୍ତ୍ତନ ହୁଏ । ଫଳରେ ଆଗାମୀ ପୀଢି ପ୍ରଭାବିତ ହୋଇଥାଏ ।

ସୂଚନାଯୋଗ୍ୟ, ସାଧାରଣତଃ ଲୋକେ ପରିବର୍ତ୍ତନ ପ୍ରକ୍ରିୟା ଧିରେଧିରେ ହୋଇଥାଏ ବୋଲି ଭାବିଥାନ୍ତି । କିନ୍ତୁ ହାତୀଙ୍କ କ୍ଷେତ୍ରରେ ଏହା ଅତିଶୀଘ୍ର ହୋଇଥାଏ । ସାଭାନ୍ନାରେ ମାତ୍ର ୧୫ ବର୍ଷରେ ଦାନ୍ତବିହୀନ ହାତୀ ଜନ୍ମ ହେବା ସମସ୍ତଙ୍କୁ ଚକିତ କରିଛି । ଏବେ ବୈଜ୍ଞାନିକ ଏନେଇ ଅଧିକ ଗବେଷଣା କରୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.