ସପ୍ତାହରେ ଚାଲିଗଲା ଦୁଇ ଦୁଇଟି ହାତୀ ଜୀବନ, ମାଈ ପରେ ଏବେ ଚାଲିଗଲା ଦନ୍ତା
22/09/2020 at 2:48 PM

ରାଉରକେଲା ୨୨।୯: ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ଅରାଘାଟ ଗ୍ରାମର ପାରମସାହିରେ ମଙ୍ଗଳବାର ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଗତ ୧୩ ତାରିଖରେ ସଗଡଭଙ୍ଗା ଜଗଂଲରେ ଏକ ମାଈ ହାତୀର ମୃତଦେହ ଗ୍ରାମବାସୀ ଉଦ୍ଧାର କରିଥିବା ବେଳେ ପୁଣି ଏକ ଦନ୍ତାର ମୃତ୍ୟୁ ହୋଇଛି । ସପ୍ତାହକ ମଧ୍ୟରେ ଦୁଇଟି ହାତୀ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ବନ ବିଭାଗର ହାତୀ ସୁରକ୍ଷା ଉପରେ କେତେ ତତ୍ପର ତାକୁ ନେଇ ପ୍ରଶ୍ନ ଉଠିଛି ।
ଗୋପବନ୍ଧୁ ଯୋଜନାରେ ବନ ବିଭାଗ ହାତୀ ସୁରକ୍ଷା ପାଇଁ ଥିବା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କାହିଁକି ସପ୍ତାହରେ ଦୁଇ ଦୁଇଟି ହାତୀ ମୃତ୍ୟୁ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଉଛି । ଏପଟେ ବନବିଭାଗ ତଦନ୍ତ କରୁଥିବା କଥା କହୁଥିବା ବେଳେ ମାଈ ହାତୀର ମୃତ୍ୟୁକୁ ୮ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ କରିନାହିଁ ବନ ବିଭାଗ।