ପୋଖରୀରୁ ହାତୀ ଛୁଆର ମୃତଦେହ ଉଦ୍ଧାର, ବେକରେ ରହିଛି କଟା ଦାଗ

Published By : Prameya-News7 Bureau | June 13, 2020 IST

ରାଉରକେଲା ୧୩।୬: ପୋଖରୀରୁ ହାତୀ ଶାବକର ମୃତ ଦେହକୁ ଉଦ୍ଧାର ହୋଇଛି । ରାଉରକେଲା ବନଖଣ୍ଡ କୁଆରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଲାଠିକଟା ବୀରକେରା ରୁତୁକୁପେଡି ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ସାନଟୋଲା କୁଦରଠାରେ ଥିବା ପୋଖରୀରୁ ବନ ବିଭାଗ ଉଦ୍ଧାର କରିଛି । ମୃତ ଛୁଆ ହାତୀର ବେକରେ କଟା ଦାଗ ରହିଥିବା ବେଳେ ଏହା ହତ୍ୟା ନା ଆଉ କ’ଣ ତାହାର ତଦନ୍ତ କରୁଛି ବନ ବିଭାଗ ।

ସାନଟୋଲା କୁଦର ଗ୍ରାମରେ ଥିବା ପୋଖରୀରେ ୩ ମାସର ମାଈ ହାତୀ ଛୁଆର ଶବ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ରାଉରକେଲା ଏସିଏଫ୍‌ ଦିଲ୍ଲୀପ ସାହୁ ଓ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ହାତୀର ମୃତଦେହ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ହାତୀ ବେକରେ ଏକ କଟା ଦାଗ ରହିଥିବା ଦେଖିବାକୁ ମିଳିଥିଲା । ପ୍ରାଣୀଧନ ଚିକିତ୍ସକଙ୍କୁ ଡକାଇ ସେଠାରେ ହାତୀର ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ମୃତ୍ୟୁ କିଭଳି ଘଟିଲା ଓ ପୋଖରୀକୁ କିପରି ଆସିଲା ତାହାର ତଦନ୍ତ ଚାଲିଛି ବୋଲି ଏସିଏଫ୍‌ ଶ୍ରୀ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ଶୁଣିବାକୁ ମିଳିଛି ଯେ, ବରାହ ଶିକାର କରିବା ଲାଗି ଶିକାରିମାନେ ଫାସ ବିଛାଇଥିଲେ । ସେହି ଫାସରେ ପଡ଼ି ଯାଇଥିବା ହାତୀ ଶାବକଟି ସେଠାରୁ ଖସିବା ଲାଗି ଚେଷ୍ଟା କରିବା ସମୟରେ ତାର ବେକରେ ତାର ଲାଗି ଯିବାରୁ ତାହା କଟି ଯାଇଥିଲା । ଏଥିରୁ ବର୍ତ୍ତିବା ଲାଗି ହାତୀ ଛୁଆଟି ପୋଖରୀକୁ ପଶି ଯାଇ ଆଉ ବାହାରି ନପାରି ମୃତ୍ୟୁବରଣ କରିଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.