ମାଈ ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | December 18, 2020 IST

ନୀଳଗିରି ୧୮।୧୨: କୂଳଡିହା ଅଭୟାରଣ୍ୟରେ ପୁଣି ମାଈ ହାତୀର ମୃତଦେହ ଠାବ । ବାଲେଶ୍ଵର ଜିଲ୍ଲା ନୀଳଗିରି ସ୍ଥିତ କୂଳଡିହା ଅଭୟାରଣ୍ୟରେ ଏକ ମାଈ ହାତୀର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ବନ ବିଭାଗ କୂଳଡିହା ଅଭୟାରଣ୍ୟ ଅଧିନ କୂଳଡିହା-୨ ବିଟ୍ ବାଲିଆନାଳ ନିକଟରେ ମାଈ ହାତୀର ମୃତ ଦେହକୁ ଠାବ କରିଥିଲା । ତେବେ ହାତୀର ବୟସ ୪୦ ରୁ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ମୃତ୍ୟୁ ଖବର ପାଇ ବନ ବିଭାଗ ପାଇଁ ଚିନ୍ତା ବଢି ଯାଇଛି ।

ଘଟଣାସ୍ଥଳରେ ବାରିପଦାର ଆରସିସିଏଫ ଯୋଗଦୟା ନନ୍ଦ, ଯୋଗେନନ୍ଦ ପତି, ଭାରପ୍ରାପ୍ତ ଡିଏଫଓ ଶରତ ଚନ୍ଦ୍ର ବେହେରା, ଏସିଏଫ ସମୀର ସାହୁ ଓ ତପନ ପରିଡା, କୂଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ର ଓ ବନ କର୍ମଚାରୀ ପହଞ୍ଚିଥିଲେ । ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ରେଞ୍ଜର ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ତେବେ କିଛିଦିନ ପୂର୍ବରୁ ଏକ ହରିଣର ମୃତ୍ୟୁ ହୋଇଥିଲା । ଏବେ ପୁଣି ଏକ ହାତୀ ମୃତ୍ୟୁ ନେଇ ଜୀବଜନ୍ତୁଙ୍କ ଜୀବନ ଏବେ ବିପଦରେ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.