ଚାଷୀଙ୍କୁ କଚାଡି ମାରିଲା ହାତୀ, ଅନ୍ୟ ଜଣେ ଗୁରୁତର
6/01/2021 at 11:54 AM

କାମାକ୍ଷାନଗର,୦୬/୦୧: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କନ୍ତିଓ ପୁଟସାହିରେ ହାତୀ ଆକ୍ରମରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟଜଣେ ଗୁରୁତର ହୋଇଛନ୍ତି ।
ଗତ କିଛିଦିନ ଧରି ଢେଙ୍କାନାଳ ଜିଲ୍ଲାରେ ବାରମ୍ବାର ହାତୀ ଆକ୍ରମଣରେ ଚାଷୀ ମାନଙ୍କର ଜୀବନ ଯାଉଛି । ତଥାପି ଚାଷୀଙ୍କୁ ସୁରକ୍ଷା ଦେଇ ପାରୁନି ବନବଭାଗ । ଏପରିସ୍ଥଳେ ବୁଧବାର ପୁଣି ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ବିଲରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ଅନ୍ତର୍ଗତ କାମାକ୍ଷାନଗର ପଶ୍ଚିମଞ୍ଚଳର କାନ୍ତିଓ ପୁଟସାହି ଗ୍ରାମ ନିକଟରେ ।

ମୃତକ ଜଣଙ୍କ ହେଲେ କନ୍ତିଓ ପୁଟ ସାହିର ଭୁବନ ବେହେରା । ସେ ଓ ଯଦୁମଣି ସାହୁ ଧାନ ବିଲକୁ କାମ କରିବାକୁ ଯାଇଥିଲେ । ତେବେ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା । ହାତୀଟି ଭୁବନଙ୍କୁ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଅପର ପକ୍ଷରେ ଯଦୁମଣୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧ।ର କରିଥିଲେ । ତାକୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହି ଅଂଚଳରେ ଏପରି ବାରମ୍ବାର ହାତୀ ଆକ୍ରମଣ କରୁଥିବାରୁ ଏହି ଆକ୍ରମଣ ପରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ବନ କର୍ମଚାରୀମାନେ ପହଂଚି ଲୋକଙ୍କୁ ବୁଝାସୁଝା ଓ ମୃତ୍ୟୁ ଜନିତ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।