'Elephant is a gentleman'- ପ୍ରଧାନ ବିଚାରପତି ଏସ ଏ ବୋବଡେ, ପ୍ରତିଦିନ ମଣିଷ ଆକ୍ରମଣରେ ଶିକାର ହେଉଛି ହାତୀ

Published By : Prameya-News7 Bureau | January 28, 2020 IST

ଯାଜପୁର୨୮/୧: ଯାଜପୁର ଦନ୍ତା କାବୁ ପରେ ଲୋକେ ଆଶ୍ବସ୍ତ । ଚିକିତ୍ସା ପାଇଁ ହାତୀଟିକୁ କଡା ସୁରକ୍ଷା ବଳୟ ମଧ୍ୟରେ କଣ୍ଟିପୁର ଜଙ୍ଗଲରୁ କଟକ ଡାଳିଯୋଡା ରେଞ୍ଜ୍ ଅଧିନକୁ ନିଆଯାଉଥିଲା । କିନ୍ତୁ ଲୋକଙ୍କ ବିରୋଧ ପରେ ପୁଣି ତାକୁ ନନ୍ଦନକାନନ ଅଣାଯିବାକୁ ଯୋଜନା ହୋଇଛି।  ଏମିତି ହାତୀଟି ଏବେ ସେ ସ୍ଥାନରୁ ଏ ସ୍ଥାନ ହେଉଛି ।

ଟ୍ରକରେ ଏ ଜାଗାରୁ ସେଜାଗା ବୁଲୁଛି ଯାଜପୁରର ଦନ୍ତାହାତୀ। କିନ୍ତୁ ସବୁଠି ତାକୁ ବିରୋଧ। ଗୋଡ଼ରେ ବେଡ଼ି ପଡ଼ିଛି ଆଉ ଶୁଣ୍ଢକୁ ହାଇୱା ତଳକୁ ଓହଳାଇ ଟଳମଳ ହେଉଛି। ଏ ହେଉଛି ଯାଜପୁରର ଅଞ୍ଚଳର ସେହି ହାତୀ ଯାହାକୁ ଧରି ସାବାଡ଼ କରିବା ଲାଗି ଜିଦି ଧରିଥିଲେ ଗାଁ ଲୋକେ।  ଆଉ ଲୋକଙ୍କୁ ସୁରକ୍ଷା ଦେବା ଲାଗି ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ସବୁଠି ତାକୁ ଏବେ ଦୂରଦୂର ମାରମାର ।

ଗତକାଲି ଟ୍ରାଙ୍କୁଲାଇଜ୍ କରାଯାଇ ଦନ୍ତାକୁ କାବୁ କରାଯିବା ପରେ ତାକୁ ଆଜି ଚିକିତ୍ସା ପାଇଁ ଯାଜପୁର କଣ୍ଟି ଜଙ୍ଗଲରୁ କଟକ ଡାଳିଯୋଡା ରେଞ୍ଜକୁ ଅଣାଯାଉଥିଲା । ହେଲେ ତାକୁ ଟ୍ରକ୍‌ରେ ଅଣାଯିବା ବେଳେ ଟାଙ୍ଗୀ ନିକଟରେ ଲୋକେ ବିରୋଧ କରିଥିଲେ । ସେମାନ ଅଞ୍ଚଳରେ ଦନ୍ତାକୁ ପୂରାଇ ଦିଆଯିବ ନାହିଁ ବୋଲି କହିଥିଲେ। ସେଠାରୁ ପୁଣି ତାକୁ କଣ୍ଟି ଜଙ୍ଗଲକୁ ଫେରାଇ ନେବାକୁ ଯୋଜନା କରାଯାଉଥିଲା । ହେଲେ ଏହାକୁ ନନ୍ଦନକାନନ ଅଣାଯିବା ପାଇଁ ସ୍ଥିର ହୋଇଥିଲା । ତେଣୁ ହାତୀକୁ ଚଣ୍ଡିଖୋଲ ନିକଟ  ଏକ ସରକାରୀ ଫାର୍ମ ହାଉସ୍ ରେ ରଖାଯାଇଛି । ଟ୍ରକ୍ ଉପରେ ହିଁ ହାତୀର ଚିକିତ୍ସା ଚାଲିଛି । 

ଦନ୍ତା କାବୁ ପରେ ଯାଜପୁର କଳିଙ୍ଗନଗର ଓ ଦାନଗଦୀ ଲୋକଙ୍କ ମୁଣ୍ଡରୁ ଯାଇଛି ଚିନ୍ତା । ଜନଜୀବନ ସ୍ବାଭାବିକ ହୋଇଛି । ସ୍କୁଲ ଖୋଲିଛି । ପୁନଃ ଗାଁକୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇଛି । ଲୋକେ ଏବେ ଆଶ୍ବସ୍ତ ହୋଇଛନ୍ତି। ଦନ୍ତା ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ଘଟିବା ସହ ୧୦ରୁ ଉର୍ଦ୍ଧ ଲୋକ ଆହତ ହୋଇଥିଲେ । ତେବେ ପ୍ରଥମଥର ପାଇଁ ଡ୍ରୋନ୍ କ୍ୟାମେରା, ବିଶେଷଜ୍ଞ ଟିମ୍ ଏବଂ ଟ୍ରାଙ୍କୁଲାଇଜର ଟିମ୍ ସହାୟତାରେ ବନବିଭାଗ ଦ୍ବାରା ହାତୀଟିକୁ କଣ୍ଟିପୁର ଜଙ୍ଗଲରୁ କାବୁ କରାଯାଇଥିଲା ।

ପ୍ରଶ୍ନ ଉଠୁଛି ହାତୀକୁ ମଣିଷ ନିଜ ପାଇଁ ନିୟନ୍ତ୍ରଣ କରୁନାହିଁ କି।  ଯେତେବେଳେ ଏଲିଫ୍ୟାଣ୍ଡ ଇଜ୍‌ ଏ ଜେଣ୍ଟଲମ୍ୟାନ କହି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ ଏ ବୋବଡେ ହାତୀର ସୁରକ୍ଷା ପାଇଁ ଗୁରୁତ୍ବ ଦେଉଛନ୍ତି। ଓଡ଼ିଶାରେ କିନ୍ତୁ ପ୍ରତି ସପ୍ତାହରେ ମଣିଷ ଆକ୍ରମଣର ଶିକାର ହେଉଛି ହାତୀ।  ଏବେ ଟ୍ରାଙ୍କୁଲାଇଜ ହୋଇଥିବା ହାତୀରର ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ତାକୁ ସମ୍ପୂର୍ଣ୍ଣ ସୁସ୍ଥ ପାଇଁ ୪-୫ ଦିନର ଚିକିତ୍ସାର ଚାଲିଛି । ଏଭଳି ସମୟରେ ହାତୀ ପ୍ରତି ଯେମିତି ମଣିଷ ସହାନୁଭୁତି ହରାଇଛି ସେମିତି ସ୍ଥିତି ସୃଷ୍ଟି ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.