ଟ୍ରେନ ଧକ୍କାରେ ହାତୀ ଗୁରୁତର, ଆହତ ହାତୀକୁ ଘେରି ରହିଛନ୍ତି ୧୦ ସାଥୀ ହାତୀ

Published By : Prameya-News7 Bureau | May 19, 2022 IST

ବଡ଼ବିଲ, ୧୯/୦୫: ଟ୍ରେନ ଧକ୍କାରେ ଗୋଟିଏ ମାଈ ହାତୀ ସହି ୨ ଛୁଆ ହାତୀ ଗୁରୁତର । ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ରୁ ୭ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି । ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ, ବାଂଶପାଣୀ - ଜୁରୁଡ଼ି ରେକପଥର ୪୦୪ ନଂ ପିଲ୍ଲାର  ନିକଟରେ ଏକ ଗୁଡ୍ସ ଟ୍ରେନ ହାତୀପଲକୁ ଧକ୍କା ଦେଇଥିବା ପ୍ରାଥମିକ ସୂଚନା ମିଳିଛି । ଏକ ୧୯ ଟିକିଆ ହାତୀପଲ  ସନ୍ଧ୍ୟାରେ ବୈତରଣୀ ସଂରକ୍ଷିତ ଜଙ୍ଗଲ (କ) ଦେଇ ଯାଉଥିବା ବେଳେ,  ରେଳ ଧାରଣା ପାରିହେଉଥିଲେ । ଏହି ସମୟରେ ବାଂଶପାଣୀ - ଜୁରୁଡ଼ି ରୁଟରେ ଯାଉଥିବା ଏକ ଖାଲି ଗୁଡ୍ସ ଟ୍ରେନ ହାତୀପଲକୁ ଧକ୍କାଦେଇଥିଲା । 

ମିଳିଥିବା ସୂଚନା ଅନୁସାରେ ଗୋଟିଏ ମାଈ ହାତୀ ସହ ଦୁଇଟି ହାତୀଛୁଆ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣା ଜଣାପଡିବା ପରେ ବନ ବିଭାଗର ଅଧିକାରୀ ଓ ରେଳବାଇର ରେସ୍କ୍ୟୁ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ତେବେ ଅନ୍ୟ ହାତୀମାନେ ସେମାନଙ୍କୁ ଘେରିରହିଛନ୍ତି । ଯାହାଫଳରେ, ରେସ୍କ୍ୟୁ କାର୍ଯ୍ୟ ହୋଇପାରୁନାହିଁ ।  ସେହିଁ ରୁଟ ଦେଇ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି । ବନ କର୍ମଚାରୀ ଘଟଣା ଉପରେ ନଜର ରଖିବା ଛଡା ଆଉକିଛି କରିବା ସମ୍ଭବ ହୋଇପାରୁନାହିଁ । କିଛି ବର୍ଷ ପୂର୍ବେ ଏହି ରେଳ ରୁଟରେ ଟ୍ରେନ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.