କପିଳାସ ଉଦ୍ଧାର କେନ୍ଦ୍ରରେ ପହଁଚିଲା ତିନି ମାସର ହାତୀ ଛୁଆ
31/12/2020 at 10:01 PM

ଢେଙ୍କାନାଳ, ୩୧।୧୨: ନୂଆବର୍ଷ ୨୦୨୧ ପାଇଁ ନୂଆ ଅତିଥି । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ପହଁଚିଲା ଆଉ ଏକ ହାତୀ ଛୁଆ । ଏହି ହାତୀ ଛୁଆର ବୟସ ମାତ୍ର ତିନି ମାସ । ବ୍ରହ୍ମପୁର ବନଖଣ୍ଡରୁ ଉଦ୍ଧାର ହୋଇଥିବା ଏହି ତିନି ମାସର ହାତୀଛୁଆକୁ ସ୍ୱତନ୍ତ୍ର ଗାଡି ଯୋଗେ କପିଳାସ ନିଆଯାଇଛି । ତେବେ ବ୍ରହ୍ମପୁରରୁ ଏକ ସ୍ୱତନ୍ତ୍ର ଭାବେ ଏତ ଟିମ୍ ରେ ବନ କର୍ମଚାରୀ ଓ ଚିକିତ୍ସକ ମିଶି କପିଳାସରେ ପହଂଚି ଛନ୍ତି ।
ଏହି ହାତୀ ଛୁଆ ବାହାରୁ ଆସୁଥିବାରୁ ତାକୁ କିଛିଦିନ ସଂଗରୋଧରେ ରଖାଯିବ । ରକ୍ତ ପରୀକ୍ଷା ସହ ସ୍ୱାସ୍ଥ୍ୟ ଆଦି ପରୀକ୍ଷା କରିବା ଓ ତାକୁ ସ୍ୱତନ୍ତ୍ର ଭାବେ ଏକ ଘରେ ରଖାଯିବ । ଥଣ୍ଡା ଶୀତ ଦାଉରୁ ରକ୍ଷା ଓ ତାର ଖାଦ୍ୟ ଆଦି ଦିଗରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏପରିକି ଏହି ହାତୀ ଛୁଆ ପାଇଁ ଜଣେ ସ୍ଵତନ୍ତ୍ର ଡାକ୍ତର ଓ କର୍ମଚାରୀ ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଛନ୍ତି ଢେଙ୍କାନାଲ ବନଖଣ୍ଡ ଅଧିକାରୀ ।
ଏହି ହାତୀ ଉଦ୍ଧାର କେନ୍ଦ୍ରରେ ନୂଆ ଅତିଥି ତିନି ମାସର ହାତୀ ଛୁଆକୁ ମିଶାଇ ଏବେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଛୋଟ ହାତୀ ସଂଖ୍ୟା ପାଞ୍ଚରେ ପହଂଚିଛି ।ପୂର୍ବରୁ ଏଠାରେ ଚନ୍ଦୁ,କାର୍ତ୍ତିକ ଓ ଉମା ନାମକ ୧୦ରୁ ୧୩ବର୍ଷର ୩ଟି ଓ ହିରୋ ନାମକ ତିନି ବର୍ଷର ହାତୀ ଛୁଆ ରହୁଥିଲେ । ଫଳରେ ଏହି କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ପୁଣି ଏକ ହାତୀ ଛୁଆ ଆଗମନରେ ଚିଡିଆଖାନାକୁ ଲାଗି ରହିଥିବା ଏହି ହାତୀ ଉଦ୍ଧାର କେନ୍ଦ୍ର ଚଳଚଂଚଳ ହୋଇ ଉଠିଛି ।