ଗୋଆ ସମଲିଙ୍ଗୀ ବିବାହ ଲାଗି ବରଯାତ୍ରୀରେ ହାତୀକୁ ନେଇ ତେଜିଲା ବିବାଦ, ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | January 12, 2020 IST

ପାଣାଜୀ ୧୨।୧:  ଗୋଆରେ ହୋଇଥିବା ଏକ ସମଲିଙ୍ଗୀ ବିବାହର ଚର୍ଚ୍ଚା ଏବେ ଥମିବାର ନାଁ ନେଉନି।  ଏଠାକାର ଏକ ସିସାଇଡ୍ ରିସୋର୍ଟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବଲିଉଡ୍ ସେଲିବ୍ରିଟିମାନେ ବି ଉତ୍ସବକୁ ଆମନ୍ତ୍ରିତ ଥିଲେ।  ଏଥିଲାଗି ବରଯାତ୍ରୀ ଶୋଭାଯାତ୍ରାରେ ହାତୀ ବ୍ୟବହାରକୁ ନେଇ ଏବେ ଆପତ୍ତି ଉଠିଛି । ବରଯାତ୍ରୀରେ ନବ ଦମ୍ପତ୍ତି ( ଦୁଇ ସମଲିଙ୍ଗୀ ପୁରୁଷ) ବସି ବିବାହ ମଣ୍ଡପରେ ପହଞ୍ଚିଥିଲେ। ତେବେ ଏହାକୁ ଗୋଆର ସାମାଜିକ ଓ ଏଲଜିବିଟି (ଲେସବିଆନ, ଗେ, ବାଇସେକ୍ସୁଆଲଓ ଟ୍ରାନ୍ସଜେଣ୍ଡର) ସମୁଦାୟ ବିରୋଧ କରିଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି।

ଏଲଜିବିଟି ସମୁଦାୟର ହରିଶ ଆୟରଙ୍କ କହିବା କଥା ହେଲା ହାତୀ ଏକ ବନ୍ୟପ୍ରାଣୀ ଏହାକୁ କୌଣସି ଉତ୍ସବ, ମନୋରଞ୍ଜନ ଅଥବା ମନୋରଞ୍ଜନ ଲାଗି ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ପ୍ରଥା। ଏମିତିରେ ଏଲଜିବିଟି ସମୂଦାୟ ଦେଶରେ ଏବେବି ପୀଡିତ ହେଉଛନ୍ତି। ଏଥିରେ ଦୁଇ ସମଲିଙ୍ଗୀ ପୁରୁଷ ସେମାନଙ୍କ ବିବାହ ଉତ୍ସବ ଲାଗି ସୁସଜ୍ଜିତ ହାତୀ ବାରାତୀ ଆୟୋଜନ କରିବା ଏକ ଭୁଲ ବାର୍ତ୍ତା ଦେଉଥିବା ଆୟର କହିଛନ୍ତି। ଏ ନେଇ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନିକଟରେ ସେ ଅଭିଯୋଗ କରିଥିବା ବେଳେ ମାମଲାର ତଦନ୍ତ ଲାଗି ନିବେଦନ କରିଛନ୍ତି।

ଏଥିଲାଗି ବନ୍ୟପ୍ରାଣୀ ଆଇନର ଉଲ୍ଲଂଘନ ହୋଇଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି। ୱାଇଲ୍ଟ ଲାଇଫ ପ୍ରୋଟେକ୍ସନ( ସଂଶୋଧିତ) ଆଇନ ୨୦୦୨ ଅନୁସାରେ  କୌଣସି ବନ୍ୟପ୍ରାଣୀଙ୍କୁ ବ୍ୟବସାୟୀକ ବ୍ୟବହାର କରିବା ଆଇନ ଅନୁସାରେ ଦଣ୍ଡନୀୟ। ହାତୀ ବନ୍ୟପ୍ରାଣୀ ଆଇନର ସିଡ୍ୟୁଲ-୧ ଅନୁସାରେ ଏକ ସଂରକ୍ଷିତ ପ୍ରାଣୀ ପ୍ରଜାତିରେ ଆସୁଛି। ଏଣୁ ବରଯାତ୍ରୀରେ  ହାତୀ ବ୍ୟବହାରକୁ ନେଇ ସାମାଜିକ କାର୍ଯ୍ୟକର୍ତ୍ତା ନୋର୍ମା ଅଲୱେର୍ସ ପ୍ୟୁପିଲ ଫର ଆନିମଲ ଓ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ ପତ୍ର ଲେଖି ମାମଲାର ତଦନ୍ତ ଲାଗି ନିବେଦନ କରିଥିବା ଜଣାପଡିଛି। ଏଥିରେ ସେ ପାର୍ଟି ଓ ଫଙ୍କସନରେ ଏଭଳି ପ୍ରାଣୀଙ୍କ ବ୍ୟବହାର ଉପରେ ରୋକ ଲଗାଇବାକୁ ବି ନିବେଦନ କରିଛନ୍ତି। ତେବେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସନ୍ତୋଷ କୁମାର ମାମଲାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.