ଢେଙ୍କାନାଳ ୨/୧୧ : ଢେଙ୍କାନାଳ ଜିଲ୍ଲା ମହୀଧରପୁର ଠାରେ କୂଅ ଭିତରେ ଗୋଟିଏ ହାତୀ ପଡିଯାଇଛି | ଗତକାଲି ଠାରୁ ଏ ଅଂଚଳରେ ୪୦ ରୁ ୫୦ ହାତୀ ବୁଲାବୁଲି କରୁଥିଲା | ଗତକାଲି ରାତିରେ ହାତୀପଲ ଭିତରୁ ଏହି ହାତୀଟି କୂଅରେ ଗଲି ପଡିଛି | ମହୀଧରପୁର ଅଂଚଳରେ ୧୨୦ ଟି ଏଭଳି କୂଅ ରହିଛି ଯେଉଁ କୂଅଗୁଡିକର ବାଡ଼ ନାହିଁ | ଫଳରେ ହାତୀମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି | ବିଦ୍ୟୁତ ତାର ଲାଗି ଢେଙ୍କାନାଳରେ ୭ଟି ହାତୀଙ୍କର ମୃତ୍ୟୁ ଘଟଣା ଏବେ ଆଲୋଡନ ସୃଷ୍ଟି କରିଥିବାବେଳେ କୂଅରେ ହାତୀ ପଡିବା ଘଟଣା ପୁଣି ଚର୍ଚ୍ଚାକୁ ଆସିଛି |
ଗତକାଲି ରାତିରୁ କୂଅରେ ପଡିଥିବା ହାତୀଟିକୁ ଉଦ୍ଧାର କରିବା ପାଇଁ ବନବିଭାଗ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି | ଜେସିବି ଲଗାଇ କୂଅର ଚାରିପାଖକୁ ଖୋଳାଯାଉଛି | ଚାରିପାଖକୁ ଖୋଳି ଏକ ଶ୍ଲୋପ ତିଆରିକରାଗଲେ ହାତୀଟି ସହଜରେ ଉପରକୁ ଉଠିଆସିପାରିବ | ବର୍ତ୍ତମାନ ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀପଲ ଜନବସତି ଆଡକୁ ମାଡିଆସୁଥିବା ଦେଖିବାକୁ ମିଳିଛି | ନୀଳଗିରି ଅଂଚଳରେ ୪୦ ରୁ ୫୦ ହାତୀ ଥିବା ଏକ ଝାରଖଣ୍ଡି ହାତୀପଲ ବୁଲୁଥିବାବେଳେ ବରଗଡ଼ ଜିଲ୍ଲାରେ ଛତିଶଗଡ଼ି ହାତୀ ବୁଲୁଛନ୍ତି | ହାତୀମାନଙ୍କର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ନେବା ଆବଶ୍ୟକ ହେଉଛି |
ମହୀଧରପୁରରେ କୂଅ ଭିତରେ ପଡିଥିବା ହାତୀକୁ ଦେଖିବା ପାଇଁ ଆଖପାଖ ଅଂଚଳରୁ ଲୋକଙ୍କ ଭିଡ ଜମିବାରେ ଲାଗିଛି | ଅତି ଶୀଘ୍ର ହାତୀଟିକୁ ଉଦ୍ଧାର କରାଯିବ ବୋଲି ଘଟଣାସ୍ଥଳରେ ଥିବା ଡ଼ିଏଫଓ କହିଛନ୍ତି | କୂଅରେ ପଡିଥିବା ହାତୀଟିର ବୟସ ୧୪ ରୁ ୧୫ ବର୍ଷ ହେବ | ମହୀଧରପୁର ଅଂଚଳରେ ଥିବା ଅସୁରକ୍ଷିତ କୂଅଗୁଡ଼ିକୁ ବାଡ଼ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଲାଣି ବୋଲି ଡ଼ିଏଫଓ ସୂଚନା ଦେଇଛନ୍ତି |