ଉତ୍ପାତ କରୁଛି ନରହନ୍ତା ଦନ୍ତା : କୁକୁରଙ୍କୁ କଚାଡି ମାରିଲା, ଚାଉଳ ସହ ଖାଇଦେଲା ୧୦ ହଜାର ଟଙ୍କା

Published By : Prameya-News7 Bureau | February 21, 2021 IST

ତେଲକୋଇ,୨୧/୦୨:   କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ଜଗମୋହନପୁର ଫରେଷ୍ଟ ବିଟ ଅଞ୍ଚଳରେ ନରହନ୍ତା ଦନ୍ତାର ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ମଣିଷ ମାରୁଛି ଦନ୍ତା ।

ଗତ ୧୬ ତାରିଖ ବିଳମ୍ବିତ ରାତିରେ ଜଗମୋହନପୁର ଗାଁରେ ପଶି ଜାନକୀ ପ୍ରଧାନଙ୍କୁ ଘରୁ ଟାଣିନେଇ କଚାଡି ମାରିଥିବା ବେଳେ ତାପର ଦିନ ରୁଗୁଡିହ ଗାଁରେ ଘର ଭାଙ୍ଗି ଧାନଚାଉଳ ଖାଇ ଯାଇଥିଲା । ଶନିବାର ବିଳମ୍ବିତ ରାତିରେ ସରୁଆଳି ଗାଁର ଅଙ୍ଗଦ ସାହିରେ ପଶି   ସୁରମା ପାତ୍ରଙ୍କର ଝରକା ଭାଙ୍ଗି ୨ ବସ୍ତା ଧାନ ଓ ୨ ବସ୍ତା ଚାଉଳ ଖାଇବା ସହ ଘରର ସାମନା ପଟ ଗ୍ରିଲକୁ ଦନ୍ତା ଭାଙ୍ଗି ଦେଇଛି ।ସେପଟେ ସରୁଆଳି ଗାଁ ଭିତରେ ପଶି ସମବାରୀ କିଶାନଙ୍କ ଘର ଭାଙ୍ଗି ଚାଉଳ ଦୁଇ କ୍ବିଣ୍ଟାଲ ଚାଉଳ ସହ ଚାଉଳ ବସ୍ତା ଭିତରେ ଥିବା ୧୦ ହଜାର ଟଙ୍କା ମଧ୍ୟ ଖାଇଯାଇଛି ।

ଅନ୍ୟ ପଟରେ ବିଳମ୍ବିତ ରାତିରେ ଜଗମୋହନପୁର ଗାଁରେ ଦୁଇଟି ପୋଷା କୁକୁରକୁ ମଧ୍ୟ ଦନ୍ତା କଚାଡି ମାରି ଦେଇଛି । ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ।ବାରମ୍ବାର ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ବନବିଭାଗ ପକ୍ଷରୁ ନରହନ୍ତା ଦନ୍ତାକୁ ସେ ଅଞ୍ଚଳରୁ ଘଉଡ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ ହେଉଛି ।ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ରୁପ ଧାରଣ କରିବାରେ ଲାଗିଛି ।           

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.