ସୋଲାର ଫେନ୍ସିଂ ନେଲା ହାତୀର ଜୀବନ, ଆମ୍ୱତୋଟା ଜଗିବାକୁ ବିଛାଇଥିଲେ ତାର

Published By : Prameya-News7 Bureau | June 06, 2021 IST

ଢେଙ୍କାନାଳ: ଢେଙ୍କାନାଳ ଗୋବିନ୍ଦପ୍ରସାଦ ଗ୍ରାମର ଆମ୍ବତୋଟାରେ ସୋଲାର ଫେନ୍ସିଂ କରେଣ୍ଟ ଲାଗି ଦନ୍ତା ହାତୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପହଂଚି ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଥାଉକି, ହାତୀ ମାନଙ୍କ କବଳରୁ ଆମ୍ବ ବଗିଚାର ସୁରକ୍ଷା ପାଇଁ ଲଗାଇଥିବା ସୋଲାର ଫେନ୍ସିଂ ଯୋଗୁଁ ଗୋଟିଏ ଦନ୍ତା ହାତୀର ପ୍ରାଣ ହାନି ଘଟିଛି । ଢେଙ୍କାନାଳ ସଦର ବନାଞ୍ଚଳର ଗୋବିନ୍ଦ ପ୍ରସାଦ ଗ୍ରାମର ଏକ ଆମ୍ବତୋଟାରେ ଏହି ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି । ବନ କର୍ମଚାରୀ ମାନେ ପହଂଚି ହାତୀର ମୃତଦେହକୁ ଜବତ କରିଛନ୍ତି । ମୃତ ଦନ୍ତା ହାତୀର ବୟସ ପ୍ରାୟ ୧୫ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀର ପାଟିରେ ଓ ଦେହରେ ସୋଲାର ଫେନ୍ସିଂ ତାର ଲାଗିରହିଥିବା ଦେଖିବାକୁ ମିଳିଛି ।

ତେବେ କେବଳ ସୋଲାର ଫେନ୍ସିଂ କରେଣ୍ଟରେ ହାତୀଙ୍କର ମୃତ୍ୟୁ ଘଟିବା ସମ୍ଭବପର ହୋଇନଥିବା ବେଳେ ଏହି ହାତୀର କିପରି ମୃତ୍ୟୁ ଘଟିଛି ତାହା ପ୍ରଶ୍ନ ବାଚି ହୋଇଛି । ଆଜି ସକାଳେ ଖବର ପାଇ ଆସି ଦେଖିବା ବେଳକୁ ହାତୀଟି ବିଛାଇଥିବା ସୋଲାର ଫେନ୍ସିଂରେ ଲାଗି ମରିପଡିଥିବା ପ୍ରକାଶ କରିଛନ୍ତି ଆମ୍ବ ତୋଟା ମାଲିକ ବିଶ୍ୱଜିତ ଆର୍ଜେନ୍ଦୁ ଜେନା । ଫଳରେ ଘଟଣା ସ୍ଥଳକୁ ସଦର ବନକର୍ମଚାରୀ ଓ ଢେଙ୍କାନାଳ  ସହକାରୀ ବନ ସଂରକ୍ଷକ ରଶ୍ମିରଂଜନ ସ୍ୱାଇଁ ଓ ଡାକ୍ତରୀ ଦଳ ପହଂଚି ହାତୀର ମୃତ ଦେହକୁ ବ୍ୟବଛେଦ କରିଛନ୍ତି । ହାତୀ ମୃତ୍ୟୁ ଘଟଣାକୁ ନେଇ ବନବିଭାଗ ପକ୍ଷରୁ  ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.